ଭୁବନେଶ୍ବର: ମୋଟର ଯାନ ଆଇନ 2019 ତଥା ଏମଭି ଆଇନରେ ରାଜ୍ୟ ସରକାର ନିୟମ ଉଲ୍ଲଙ୍ଘନକରୀଙ୍କ ଠାରୁ ଆଜିଯାଏଁ 38.67 କୋଟି ଟଙ୍କା ଆଦାୟ କରିଛନ୍ତି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
2019 ସେପ୍ଟମ୍ବର 1ତାରିଖରୁ ଚଳିତ ବର୍ଷ ଜାନୁୟାରୀ 31 ତାରିଖ ମଧ୍ୟରେ ରାଜ୍ୟ ସରକାର 38.67 କୋଟି ଟଙ୍କା ଆଦାୟ କରିଥିବା ମନ୍ତ୍ରୀ କହିଛନ୍ତି । ଏଥିସହ 31 ଜାନୁୟାରୀରେ ଲାଗୁ ହୋଇଥିବା ନୂଆ ଏମଭି ଆଇନ ଅନୁଯାୟୀ 4,13,994 ଜଣ ଲୋକ ଡ୍ରାଇଭିଂ ଲାଇଲେନ୍ସ ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ 2,87,932 ଜଣ ଲୋକଙ୍କୁ ଡ୍ରାଇଭିଂ ଲାଇଲେନ୍ସ ଜାରି କରାଯାଇଛି ।
ଏହାଛଡା ଆଉ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରିବହନ ମନ୍ତ୍ରୀ କହିଛନ୍ତି, 2019 ସେପ୍ଟେମ୍ବର ଓ 2020 ଫେବୃୟାରୀ 15 ମଧ୍ୟରେ 28,63,64 ଟି ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ୍ ଜାରି କରାଯାଇଥିବା ବେଳେ ସମାନ ସମୟସୀମା ଅବଧି ମଧ୍ୟରେ 13,90,48ଟି ଫିଟିନେସ୍ ସାର୍ଟିଫିକେଟ୍ ଜାରି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ