ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଭୋଟ ଗଣତିର ସ୍ୱଚ୍ଛତାକୁ ନେଇ ବିଜେପିର ସନ୍ଦେହ । ଷ୍ଟ୍ରଙ୍ଗ୍ ରୁମର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା ବିଜେପି । ତେବେ ନିର୍ବାଚନରେ କେତେ ପ୍ରତିଶତ ମତ ହେଲା ତାର ତାଲିକା ପ୍ରିଜାଇଡିଂ ଅଫିସର ଦେଉନଥିବା ଅଭିଯୋଗ ଆଣିଛି ରାଜ୍ୟ ବିଜେପି ।
ତେବେ ଅଭିଯୋଗ ପରେ ଚିଠି କରିଥିଲେ ନିର୍ବାଚନ କମିଶନ । ତଥାପି ବହୁତ ଜାଗାରେ ସର୍ବମୋଟ ଭୋଟ ତାଲିକା ମିଳିନାହିଁ । ମାହାଙ୍ଗା ସହ ରାଜ୍ୟର ବହୁତ ବ୍ଲକରେ 1 ଓ 2 ନମ୍ବର ଜୋନ ଭୋଟକୁ ଗୋଟିଏ ଜାଗାରେ ରଖାଯାଇଛି ।
ଅନ୍ୟପଟେ ଗଣତି ବ୍ୟବଧାନରେ ହେରାଫେରି ପାଇଁ ଏହା ଏକ ଚାଲ । ସାଦା ପୋଷାକ ଧାରି ଷ୍ଟ୍ରଙ୍ଗ ରୁମ ଆଗରେ ସୁରକ୍ଷା କର୍ମୀ ନାଁରେ ବୁଲୁଛନ୍ତି । ମାତ୍ର ଏମାନେ କିଏ? ଗଣତି ପ୍ରକ୍ରିୟାର ସମ୍ପୂର୍ଣ୍ଣ ତଦାରଖ କରନ୍ତୁ ନିର୍ବାଚନ କମିଶନ ବୋଲି ବିଜେପି ଦାବି କରିଛି ।
ସେହିପରି ବୁଥର ଭୋଟିଂ ସାର୍ଟିଫିକେଟ ରହୁ । ଗଣନା ପୂର୍ବରୁ ବୁଥର ପୋଲିଙ୍ଗ ସ୍ପଷ୍ଟ ହେଉ । ଭୋଟରଙ୍କ ଠାରୁ ଅଧିକ ବାଲାଟ୍ ବାହାରିଲେ, ପୁନଃ ନିର୍ବାଚନ କରାଯାଉ ।
ଅପରପକ୍ଷେ ସମ୍ପୂର୍ଣ୍ଣ ଗଣତି ପ୍ରକ୍ରିୟାକୁ ସିସି ଟିଭି ଅଧୀନରେ ରଖାଯାଉ । ବର୍ତ୍ତମାନ ଯାଏଁ ତ୍ରୁଟି ରହି ଆସିଛି, ଗଣତିରେ ସେ ତ୍ରୁଟି ନରହୁ ବୋଲି ବିଜେପି ଦାବି କରିବା ସହ ଗଣତନ୍ତ୍ର ବଞ୍ଚାଇବାର ଦାୟିତ୍ୱ ନିଅନ୍ତୁ ନିର୍ବାଚନ କମିଶନ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ