ଭୁବନେଶ୍ବର: ଗଣେଶ ପୂଜା ସହ ଆରମ୍ଭ ହୋଇଛି ପାର୍ବଣ ଋତୁ । ତେବେ ପାର୍ବଣ ଋତୁରେ କୋଭିଡ କଟକଣା ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି SRC । ସରକାର ସମସ୍ତଙ୍କ ଆବେଗ ବୁଝିଥିଲେ ମଧ୍ୟ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବାକୁ ବାଧ୍ୟ ହୋଇଛନ୍ତି । ସରକାର କ୍ଷମାପ୍ରାର୍ଥୀ ହେଲେ ମଧ୍ୟ ସାଧାରଣ ଲୋକେ ଅକୁଣ୍ଠଚିତରେ ଅଗଷ୍ଟ ଗାଇଡଲାଇନକୁ ଅନୁପାଳନ କରବାକୁ ସେ ଆହ୍ୱାନ ଦେଇଛନ୍ତି । ଅଗଷ୍ଟ ୯ ତାରିଖରେ ଜାରି ହୋଇଥିବା ପାର୍ବଣ ଋତୁ ପାଇଁ କଟକଣା ମାନିବାକୁ ହେବ ।
- ଫଳରେ ମୂର୍ତ୍ତିର ଉଚ୍ଚତା ୪ଫୁଟର ଅଧିକ ହୋଇ ପାରିବ ନାହିଁ ।
- ନିରାଡ଼ମ୍ବର ଭାବରେ ପୂଜା କରାଯିବ ।
- ପରଦା ପକାଇ ପେଣ୍ଡାଲରେ ପ୍ରତିମା ପୂଜା ହୋଇପାରିବ ।
- ପୂଜା କେବଳ ୭ ଜଣ ପୂଜା କମିଟି ସଦସ୍ୟଙ୍କୁ ନେଇ ଆୟୋଜନ ହେବ ।
- ଶ୍ରଦ୍ଧାଳୁଙ୍କୁ ପେଣ୍ଡାଲ ମନା ।
ନୂଆଖାଇରେ କେବଳ ଘରେ ବସି ପରିବାର ସହ ନୂଆ ଖାଇବାକୁ ପରାମର୍ଶ ଦିଆଯାଇଛି । ମନ୍ଦିର ନଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ସମସ୍ତ ପର୍ବ ପର୍ବାଣୀକୁ ଅନୁପାଳନ କରିବାକୁ ଅନୁମତି ଦେଇଛନ୍ତି । ହେଲେ ସମସ୍ତ କାର୍ଯ୍ୟକୁ କୋଭିଡ କଟକଣାର ପରିଧି ମଧ୍ୟରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ଫଳ ସ୍ବରୂପ ରାଜ୍ୟ କୋଭିଡ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟା ସବୁବେଳେ ସର୍ବନିମ୍ନ ରହିଛି । ଓଡିଶା ଅନ୍ୟରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ପ୍ରଦାନ କରିଛି । ରାଜ୍ୟ କୋଭିଡ ପରିଚାଳନାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି । ଓଡ଼ିଶାବାସୀଙ୍କ ଶୃଙ୍ଖଳିତ ଅନୁପାଳନ ପାଇଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ଏସଆରସି ।
ସବୁ ଦିଗକୁ ତର୍ଜମା କରି ଧୀରେଧୀରେ କଟକଣା କୋହଳ କରାଯାଉଛି । ଜୀବନଜୀବିକାକୁ ଦୃଷ୍ଟିରେ ରଖି କଟକଣା କୋହଳ କରାଯାଇଛି । ଏହାସତ୍ତ୍ବେ କେତେକଙ୍କ ପାଇଁ ଏଯାଏଁ କଟକଣା କୋହଳ ହୋଇ ପାରିନାହିଁ । ଗୋଷ୍ଠୀ କାର୍ଯ୍ୟକ୍ରମକୁ ଏପର୍ଯ୍ୟନ୍ତ କୋହଳ କରାଯାଇନାହିଁ । କୋରୋନା ମୁକ୍ତ ହେବାକୁ ହେଲେ ରାଜ୍ୟବାସୀଙ୍କୁ କଟକଣା ମାନିବା ନିତାନ୍ତ ଆବଶ୍ୟକ । ଦ୍ବିତୀୟ ପର୍ଯ୍ୟାୟ ଭୟାବହ ଥିଲା । କେତେ ରାଜ୍ୟରେ ଅମ୍ଲଜାନର ଅଭାବ ଯୋଗୁଁ ଲୋକେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଆଗୁଆ ପଦକ୍ଷେପ ଯୋଗୁଁ ଅନେକ ସଫଳତା ହାସଲ କରିଛି । ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏସ୍ଆରସି ପ୍ରଦୀବ ଜେନା ।
ଗତ ୬୦ ଦିନର ତଥ୍ୟକୁ ଦେଖିଲେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଗତ ୧୨ ଦିନ ମଧ୍ୟରେ ସଂକ୍ରମଣ ସଂଖ୍ୟା ୬୦୦ରୁ ୧୨୦୦ ମଧ୍ୟରେ ରହିଛି । କୋରୋନାର ନୂଆ ଭାରିଆଣ୍ଟ ବିଶ୍ବରେ ପୁଣଇ ସଙ୍କଟ ସୃଷ୍ଟି କରିଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି କେରଳ । ଓନାମ ପର୍ବପରେ କେରଳରେ ଏଭଳି ସ୍ଥିତି ଆସିଛି । ଏହାସହ କୁମ୍ଭମେଳା ପରେ ବି ଦେଶରେ କୋରୋନା ସଂକ୍ରମଣ ବଢ଼ିଥିଲା । ଏଥିରୁ ରାଜ୍ୟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କଟକର ବିଭିନ୍ନ ପୂଜା କମିଟି ମୂର୍ତ୍ତି ଉଚ୍ଚତା ବୃୃଦ୍ଧି ଅନୁମିତ ଦାବି କରିଥିଲେ । ତେବେ ଚଳିତ ବର୍ଷ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି ଏସ୍ଆରସି ପ୍ରଦୀପ ଜେନା । ଲୋକଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ସହଯୋଗ କରିବାକୁ ସେ କହିଛନ୍ତି ।
ନରାଡ଼ମ୍ବର ଭାବରେ ଆସୁଥିବା ଗୌଣ ପର୍ବକୁ ପାଳନ କଲେ କୋରୋନାକୁ ନିଶ୍ଚିତ ଭାବରେ ପ୍ରତିହତ କରିହେବ । ପବିତ୍ର ଗଣେଶ ଚତୁର୍ଥୀରୁ ପାର୍ବଣ ଋତୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୁଏ । ଏହି ପାର୍ବଣ ସମୟରେ ଆମେ ସତର୍କ ରହିଲେ ହିଁ ଓଡିଶା ପୁନର୍ବାର କୋଭିଡ ମୁକାବିଲାରେ ସଫଳ ହେବ । କୋରୋନାର ଭୟାବହତାରୁ ବଞ୍ଚିବାକୁ ହେଲେ ଏହା ନିତାନ୍ତ ଆବଶ୍ୟକ । ଗତବର୍ଷ ମଧ୍ୟ ନିରାଡ଼ମ୍ବର ଭାବରେ ପାଳନ ହୋଇଥିଲା ସମସ୍ତ ପର୍ବ । ଚଳିତ ବର୍ଷ ମଧ୍ୟ ପୂଜା ପେଣ୍ଡାଲରେ ପରଦା ପକାଇ ପୂଜା କରିବାକୁ ନିବେଦନ କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା । ମୌସୁମୀ ଅଧିବେଶନ ବେଳେ ପୂଜା ସାର୍ବଜନୀନ କରିବାକୁ ଦାବି କରିଥିଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ତେବେ ଚଳିତ ବର୍ଷ ପାଇଁ ନିୟମ ମାନିବାକୁ ବିଧାୟକଙ୍କୁ ନିବେଦନ କରିଛନ୍ତି ଏସ୍ଆରସି ପ୍ରଦୀବ ଜେନା ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ