ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲରେ ଏବେ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ତଦନ୍ତ କରୁଥିବା ଜିଆରପି ପାଖରୁ କେସ ନିଜ ଦାୟିତ୍ବରେ ନେବାକୁ ଜିଆରପିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ । କେମିତି ଓ କେଉଁ କାରଣରୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିଲା, ତାର ଆମୂଳଚୂଳରୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ । ଏନେଇ ଆଜି ଡିଜିପି ଅଭୟ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡରେ ଏବେ କ୍ରାଇମବ୍ରାଞ୍ଚ ।
ସୂଚନା ଅନୁସାରେ ଚଳିତ ମାସ 7 ତାରିଖରେ ସମାଜସେବୀ ଆଦିତ୍ୟଙ୍କ ମୃତଦେହ ମିଳିଥିଲା ଲିଙ୍ଗରାଜ ଷ୍ଟେସନ ରେଳ ଟ୍ରାକରୁ । ଯାହାକୁ ନେଇ ଜିଆରପି ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ଅପମୃତ୍ୟୁ ମାମଲା ଓ ପରେ ଆଦିତ୍ୟଙ୍କ ସାଙ୍ଗ ପପୁଙ୍କ ଅଭିଯୋଗ କ୍ରମେ ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଇଥିଲା ।
ଏପରିକି ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ, ସାଙ୍ଗ ଏପରିକି ପରିବାର ଲୋକଙ୍କୁ ମିଶାଇ ମୋଟ 20 ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ଏଥିସହ ଷ୍ଟେଟ ହ୍ୟାଣ୍ଡରାଇଟ ବ୍ୟୁରୋରୁ ଆଦିତ୍ୟଙ୍କ ଏକ ହାତଲେଖା ଡାଏରୀ ମଧ୍ୟ ପଠାଯାଇ ତାଙ୍କର ବୋଲି ପ୍ରମାଣିତ ହୋଇଥିଲା ।
ଏହା ବାଦ ବି କୌଣସି ଠୋସ ତଦନ୍ତରେ ପହଞ୍ଚି ନପାରିବାରୁ ମୃତ୍ୟୁ ମାମଲା ଦିନକୁ ଦିନ ଘନେଇବାରେ ଲାଗିଛି। ତେବେ ବୁଧବାର ଜାତୀୟ ମାନବାଧିକାର କମିଶନ ଏଥିପାଇଁ କ୍ଷୁବ୍ଧ ହୋଇ କମିଶନରେଟ ପୋଲିସକୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି । 4 ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଥିବାବେଳେ ଆଜି ଡିଜିପି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ