ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ହେବ ସ୍ମାର୍ଟ ଭେଣ୍ଡିଂ ଜୋନ। ବାଣୀବିହାର ଠାରୁ ଶିଶୁଭବନ ପର୍ଯ୍ୟନ୍ତ ଜନପଥରେ ମିଳିବ ଏହି ସ୍ମାର୍ଟ ସୁବିଧା। ଜନପଥର ସୌନ୍ଦର୍ଯ୍ୟକରଣ ନେଇ ନିଆଯାଉଛି ଏଭଳି ପଦକ୍ଷେପ। ଭୁବନେଶ୍ବର ଜନପଥରେ ଶତାଧିକ ଭେଣ୍ଡିଂ ଜୋନରେ ହେବ ସ୍ମାର୍ଟ ବ୍ୟବସାୟ । ଏଭଳି ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ବର ସ୍ମାର୍ଟସିଟି।
ବାଣୀବିହାର ଠାରୁ ଶିଶୁ ଭବନ ପର୍ଯ୍ୟନ୍ତ ପାଖାପାଖି ୫ ରୁ ୬ କିମି ଅଞ୍ଚଳରେ ପ୍ରସ୍ତୁତ ହେବ ସ୍ମାର୍ଟ କିଅସ୍କ । ୩ ରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କିଅସ୍କରେ ରହିଛି ମେଟାଲ ଡୋର, ସେଫଟି ଲକର। ହେଲେ ଏହି ସ୍ମାର୍ଟ କିଅସ୍କ ଅନ୍ତରାଳରେ ରହିଯାଉଛି ଲମ୍ବା ସମୟ ଧରି ରାଜଧାନୀର ରାଜରାସ୍ତାରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀମାନେ।
ସ୍ମାର୍ଟସିଟି କତ୍ତୃପକ୍ଷଙ୍କ କହିବା କଥା ହେଲା, ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ଏବଂ ସୁବିଧା ପାଇଁ ଏଭଳି ସ୍ମାର୍ଟ କିଅସ୍କ କରାଯାଉଛି । ଜନପଥରେ ମୋଟ ୧୬୭ଟି ସ୍ମାର୍ଟ କିଅସ୍କ କରାଯିବ । ରାଜମହଲ ଛକରୁ ରାମମନ୍ଦିର ଛକ । ଫଳ ଦୋକାନୀ ଠାରୁ ଆରମ୍ଭ କରି ବୁକଷ୍ଟଲ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନେ ଏହି ସୁବିଧା ପାଇବେ । ଏବେ ପ୍ରଥମ ପର୍ଯ୍ୟାୟରେ ୭୦ଟି କିଅସ୍କକୁ ଯୋଗାଇ ଦିଆଯିବ । ଅବଶିଷ୍ଟ କାମ ସମ୍ପୂର୍ଣ୍ଣ ହେଲା ପରେ ଦିଆଯିବା ସହ ଆସନ୍ତାବର୍ଷ ମେ ସୁଦ୍ଧା ସ୍ମାର୍ଟ କିଅସ୍କ ବିତରଣ ସମ୍ପୂର୍ଣ୍ଣ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ