ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଶିକ୍ଷା ବ୍ୟବସ୍ଥା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ଯନ୍ତ ପୂର୍ବ ଭଳି ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର 15ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ ।
ଜୁଲାଇ 26ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା । ନବମ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ 16 ତାରିଖରୁ ଏବଂ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର 15 ତାରିଖରୁ ଆରମ୍ଭ କରାଯାଇଛି । ତେବେ ଆସନ୍ତା 15 ତାରିଖରେ ସପ୍ତମ ଓ ଷଷ୍ଠ ଶ୍ରେଣୀ ସ୍କୁଲ ଖୋଲାଯିବ। ଏପଟେ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଦୀର୍ଘ ଦିନ ପରେ କ୍ଳାସ ରୁମରେ ପାଠପଢା ହେବ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।
କୋରୋନା କାଳରେ ଅନେକ ମାତ୍ରାରେ ଅନଲାଇନରେ ପାଠପଢ଼ା ଫେଲ ମାରିଥିଲା । ଯେ କୌଣସି ପରିସ୍ଥିତିରେ ଅଭିଭାବକମାନେ ଚାହୁଁଥିଲେ ଯେ ସ୍କୁଲ ଖୋଲାଯାଉ ଏବଂ କୋରୋନା ନିୟମ କଟକଣା ମାନି ସ୍କୁଲରେ ପାଠପଢ଼ା କରାଯାଉ ।ଏହା ସହ ଖୁବ ଶୀଘ୍ର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଉ ବୋଲି କହିଛନ୍ତି ।
ଏପଟେ ଜଣେ ଅଭିାବକ କରୁଣାକର ପ୍ରଧାନ କହିଛନ୍ତି ଯେ ଏବେବି ପିଲାଙ୍କ ମନରେ ଉତ୍ସାହ ରହିଛି । ସ୍କୁଲରେ କ୍ଳାସ ରୁମରେ ପାଠ ପଢିବା ପାଇଁ । ସଂକ୍ରମଣ ହେତୁ ଅନେକ ଅଭିଭାବକ ରାଜି ହେଉନଥିବା ବେଳେ ଆଉ କିଛି ଅଭିଭାବକ ସ୍କୁଲ ଛାଡିବା ପାଇଁ ରାଜି ହେଉ ନାହାଁନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ