ଭୁବନେଶ୍ବର: ଶିଶୁ ଏବଂ କିଶୋରମାନଙ୍କଠାରେ ଦେଖାଦେଉଥିବା ‘ମାୟୋପିଆ’ ରୋଗ ବା ନିକଟ ଦୃଷ୍ଟିଦୋଷ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇବା ଲାଗି ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ପକ୍ଷରୁ ‘ମାଇଁସାଇକ୍ଲୋଥନ’ ନାମକ ସାଇକେଲ ଯାତ୍ରା ଆୟୋଜନ କରାଯାଉଛି । ଏଲଭିପିଇଆଇ ‘ମାଇଁସାଇକ୍ଲୋଥନ’ର ବ୍ରାଣ୍ଡ ଆମ୍ବାସଡର ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ଆସନ୍ତା ଜାନୁୟାରୀ ୧୯ ତାରିଖରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରୁ ଏହି ସାଇକେଲ ଯାତ୍ରାର ଶୁଭାରମ୍ଭ କରାଯିବ । ‘ମାଇଁସାଇକ୍ଲୋଥନ୍’ ଟି-ସାର୍ଟ ଡିଜାଇନକୁ ବ୍ରାଣ୍ଡ ଆମ୍ବାସଡର ସିଦ୍ଧାନ୍ତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଉନ୍ମୋଚନ କରିଛନ୍ତି । ‘ଗତ ୩୮ ବର୍ଷ ହେଲା ମୁଁ ଓ ମୋ ସାଇକେଲ ଏକାଠି ହୋଇ ରହିଛୁ । ଏବେ ମାତେ ଯଦି କେହି ମୋର ଭଲ ସ୍ବପ୍ନ କଥା ପଚାରନ୍ତି, ତେବେ ମୁଁ କହିବି ମୋ ଦେଶର ସବୁ ଲୋକ ସାଇକେଲ ଚଳାନ୍ତୁ । ସାଇକେଲ ଚଳାଇବା ଦ୍ବାରା ସମସ୍ତେ ସୁସ୍ଥ ରହିବେ ଏବଂ ପ୍ରଦୂଷଣ ମଧ୍ୟ କମିବ’ କହିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର ।
ଓଡ଼ିଶାର ଜଣାଶୁଣା ଆଥଲେଟ୍ ତଥା ସାଇକ୍ଲିଷ୍ଟ ଅର୍ଜୁନ ପୁରସ୍କାର ବିଜେତା ମୀନତି ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଏଭଳି ମହତ ଉଦ୍ଦେଶ୍ୟରେ ସାଇକେଲ ଯାତ୍ରାର ଆୟୋଜନ ନେଇ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘୫୦ ବର୍ଷ ହେଲା ମୁଁ ସାଇକେଲ୍ ଚଳାଉଛି । ମୋ ପାଇଁ ସାଇକ୍ଲିଂ ହେଉଛି ମୋର ପ୍ରଥମ ପ୍ରେମ ଏବଂ ସ୍ବାମୀ ହେଉଛନ୍ତି ଦ୍ବିତୀୟ ପ୍ରେମ ।’
ଏଠାରେ ସୂଚନା ଯୋଗ୍ୟ ଯେ ୨୦୫୦ ସୁଦ୍ଧା ସମଗ୍ର ବିଶ୍ବରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୫ ଜଣ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବାର ଆକଳନ କରାଯାଉଛି । ବିଶେଷ କରି ଶିଶୁମାନଙ୍କ କ୍ଷେତ୍ରରେ ଏବଂ ଭାରତରେ ଏହି ସମସ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏବେଠାରୁ ସଜାଗ ହେବାର ସମୟ ଆସିଛି । ତେଣୁ ମାଇଁସାଇକ୍ଲୋଥନ୍ ଜରିଆରେ ମାୟାପିଆ ସମ୍ପର୍କରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ