ଭୁବନେଶ୍ବର: ବରିଷ୍ଠ ଓଡିଆ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଫାଉଣ୍ଡେସନ୍ ଆନୁକୂଲ୍ୟରେ ତଥା ଏମ୍.ଜି.ଏମ୍.ଆର.ଏଲ୍ ଫାଉଣ୍ଡେସନ ସହଯୋଗରେ ନଭେମ୍ବରର ୨୨ରେ ଅନୁଷ୍ଠିତ ହେବ ‘ଶାନ୍ତନୁ ଜୟନ୍ତୀ ।’ ଭୁବନେଶ୍ବରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ଫାଉଣ୍ଡେସନର ଅଧ୍ୟକ୍ଷ କୌଶିକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ମହାନ ସଂଗୀତଜ୍ଞ ତଥା ସଂଗୀତ ନିର୍ଦ୍ଦେଶକ ଡ. ଶାନ୍ତନୁ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏହା ସମର୍ପିତ । ଏହି ଅବସରରେ ୨ଟି ସ୍ବତନ୍ତ୍ର ସମ୍ବର୍ଦ୍ଧନା ବା ସମ୍ମାନ ପ୍ରଦାନ କରାଯିବ ।
ଲୋକପ୍ରିୟ ତଥା ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ “ଶାନ୍ତନୁ ସମ୍ମାନ ଓ ଚଳଚ୍ଚିତ୍ର ଅଭିନେତା ଏବଂ ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ଏମ୍.ଜି.ଏମ୍.ଆର.ଏଲ୍ ଉତ୍କର୍ଷ ସମ୍ମାନ-୨୦୨୧’’ ପ୍ରଦାନ କରାଯିବ ବୋଲି ଆୟୋଜକମାନେ ଘୋଷଣା କରିଛନ୍ତି ।
ସଂଗୀତ ନିର୍ଦ୍ଦେଶକଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ସହ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରେରଣା ଦେବା ପାଇଁ ଶାନ୍ତନୁ ମହାପାତ୍ର ଫାଉଣ୍ଡେସନ ତା’ର ପ୍ରୟାସ ଆରମ୍ଭ କରିଛି । ଆଗାମୀ ଦିନରେ ଓଡ଼ିଆ ସଂଗୀତ ଓ ଓଡ଼ିଆ କଳାକାରଙ୍କ ପାଇଁ ଅନେକ ପଦକ୍ଷେପ ନେବା ପାଇଁ ଯୋଜନା କରାଯିବ ବୋଲି ଆୟୋଜକମାନେ କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ