ଭୁବନେଶ୍ବର: ଝରିଗାଁ ବିଧାୟକ ପ୍ରକାଶ ମାଝି ଯୌନ କେଳେଙ୍କାରୀ ପ୍ରସଙ୍ଗ ଉପରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଲେଖାଶ୍ରୀ କହିଛନ୍ତି ଦୀର୍ଘ 22 ବର୍ଷ ଶାସନ ଭିତରେ ବିଜେଡି କହୁଛି ରାଜ୍ୟରେ ଆଇନ ଶୃଙ୍ଖଳା ଠିକ ଅଛି । ଆଇନ ତା ବାଟରେ ଯାଉଛି । ଦୋଷୀ ଦଣ୍ଡ ପାଉଛି । ନବୀନ ପଟ୍ଟନାୟକ ଯାହା କରୁଛନ୍ତି ଠିକ କରୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟରେ ଦୁଇ ପ୍ରକାର ଆଇନ ଚାଲିଛି ।
ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକ ମାନଙ୍କ ପାଇଁ ଗୋଟିଏ ଆଇନ ଏବଂ ସାଧାରଣ ଲୋକଙ୍କ ପାଇଁ ଅଲଗା ଆଇନ । 4 ଦିନ ତଳେ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ବିନା ତଥ୍ୟ ପ୍ରମାଣ ଓ ବିନା ତଦନ୍ତରେ ତିଳେଇବଣି ବିଡିଓଙ୍କ କାଉଣ୍ଟର ଏଫଆଇଆରରେ ଗିରଫ କଲା ପୋଲିସ । କାରଣ ବିଡିଓ ବିଜେଡିର ସଦସ୍ୟ । ବିଡିଓଙ୍କ ସ୍ତ୍ରୀ କଳାରାହାଙ୍ଗ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ । 5 ଦିନ ବିତିଗଲା ହେଲେ ବାଙ୍କୀ ଅଞ୍ଚଳର ଜଣେ ମହିଳା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ।
କିନ୍ତୁ ପୋଲିସ ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କଲେ ନାହିଁ। ବିଜେଡି ନେତା ମାନେ ମଧ୍ୟ ଏହା ଉପରେ କିଛି ପ୍ରତିକ୍ରିୟା ରଖିଲେ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀ ମଧ୍ୟ ମୁହଁ ଖୋଲିଲେ ନାହିଁ । ପୋଲିସ ମଧ୍ୟ ବିଧାୟକଙ୍କୁ ଡାକିଲା ନାହିଁ । ପ୍ରକାଶ ମାଝି ସେହି ମହିଳାଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଲେ । ବିଧାୟକ ମହିଳାଙ୍କ ଘରକୁ ଗୁଣ୍ଡା ପଠାଇଲେ । ତେବେ ଆଉ କଣ କଲେ ପୋଲିସ ବିଧାୟକଙ୍କୁ ଗିରଫ କରିବ । ମହିଳା ଜଣଙ୍କ ଅଭିଯୋଗ କଲେ । 5 ଦିନ ବିତିଗଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି ।
ମହିଳାଙ୍କର କୌଣସି ଖୋଜ ଖବର ନାହିଁ । ତାଙ୍କୁ କେଉଁଠି ଲୁଚା ଯାଇଛି କି ତାଙ୍କର ହତ୍ୟା କରାଯାଇଛି । ଏହାର ସ୍ପଷ୍ଟୀକରଣ ହେବା ଦରକାର। ବିଜେପି ଦାବି କରୁଛି ଯେ ତୁରନ୍ତ ମହିଳାଙ୍କୁ ହାଜର କରାଯାଉ। ଅଭିଯୋଗକାରିଣୀଙ୍କୁ ସୁରକ୍ଷା ଦିଆଯାଉ । ପ୍ରକାଶ ମାଝିଙ୍କୁ ଗିରଫ କରାଯାଉ । ଘଟଣାର ନିରପେକ୍ଷ ତଦନ୍ତ ହେଉ । ଓଡିଶାବାସୀଙ୍କର ଜାଣିବାର ଅଧିକାର ଅଛି ମହିଳା ଜଣକ କେଉଁଠି ଅଛନ୍ତି ? ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷା କଥା ଖାଲି କହିଲେ ହେବ ନାହିଁ, କାମରେ କରି ଦେଖନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ