ଭୁବନେଶ୍ବର: ଭାରତର ଗୁଇନ୍ଦା ସଂସ୍ଥା ର'ରେ ଓଡିଆ ଆଇପିଏସ ଅଧିକାରୀ ହିମାଂଶୁ ଲାଲଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି କେନ୍ଦ୍ର ସରକାର । ଏହା ସହ ତାଙ୍କୁ ଓଡିଶା ପ୍ରତ୍ୟାବର୍ତ୍ତନ କରିବାକୁ କୁହାଯାଇଛି । ସୂଚନା ଅନୁଯାୟୀ ନୂଆଦିଲ୍ଲୀର କ୍ୟାବିନେଟ ସଚ୍ଚିବାଳୟରେ ନିଯୁକ୍ତି ଦିନଠାରୁ ଛୁଟିରେ ଅଛନ୍ତି ଓଡିଶା କ୍ୟାଡର ଆଇପିଏସ ଅଫିସର ହିମାଂଶୁ ଲାଲ । ସେ କୌଣସି ବ୍ୟକ୍ତିଗତ କାରଣରୁ ନିଜ ପଦରେ ଯୋଗ ଦେଇନଥିବା ଜଣାପଡିଛି । ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି ।
ହିମାଂଶୁଙ୍କର ସେଣ୍ଟ୍ରାଲ ଡେପୁଟେସନ ଏବେ ମଧ୍ୟ ବୌଦ୍ଧ ରହିଥିବା ବେଳେ ସେ ଓଡିଶାରେ ଚାକିରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲାଲ 2020 ଜୁନରେ କ୍ଲାସ-1 ଏକଜିକ୍ୟୁଟିଭ କ୍ୟାଡରର କ୍ୟାବିନେଟ ସେକ୍ରେଟାରୀଏଟରେ ନିଯୁକ୍ତି ପାଇଥିଲେ । ର'ରେ ନିଯୁକ୍ତି ପୂର୍ବରୁ ହିମାଂଶୁ ଓଡିଶାରେ ସମ୍ବଲପୁର ଉତ୍ତର ରେଞ୍ଜ ପୋଲିସ ଡିଆଇଜି ଦାୟିତ୍ବ ସମ୍ଭାଳିଛନ୍ତି ।
ଅନ୍ୟପକ୍ଷେ ସେଣ୍ଟ୍ରାଲ ଡେପୁଟେସନରେ ଥିବା ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ଯଶୋବନ୍ତ କୁମାର ଜେଠଓ୍ବା ଓ ରିତୁ ଆରୋରା ମଧ୍ୟ ନିଜ ହୋମ କ୍ୟାଡରକୁ ଫେରି ଆସିଛନ୍ତି । 1994-ବ୍ୟାଚ ଆଇପିଏସ ଅଧିକାରୀ ଜେଥୱା ତାଙ୍କ ପୂର୍ବ ପୋଷ୍ଟିଂରେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର ଅତିରିକ୍ତ ପୋଲିସ ଡିଜି ଥିଲେ । 1995 ବ୍ୟାଚ ଆଇପିଏସ ଅଧିକାରୀ ଆରୋରା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ଆଇଜି ପୋଲିସ ଥିଲେ । ସେହିପରି 2008 ବ୍ୟାଚ ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ, ଯିଏକି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଏସପି ଭାବରେ ନିଯୁକ୍ତ ହୋଇଥିଲେ, ସେ ମଧ୍ୟ ଓଡିଶା କ୍ୟାଡରକୁ ଫେରିଛନ୍ତି ।