ଭୁବନେଶ୍ବର: ଗତ ମାର୍ଚ୍ଚ ମାସ ଠାରୁ ରାଜ୍ୟରେ କୋରୋନା କଟକଣା ଯୋଗୁଁ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ତେଣୁ ଶୀଘ୍ର ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେବାକୁ ଓଡିଶା ମନ୍ଦିର ସେବାୟତ ସଙ୍ଘ ଦାବି କରିଛି ।
ଗତମାସ 21 ତାରିଖରେ ସଙ୍ଘ ପକ୍ଷରୁ ଚଳିତ ମାସ ସୁଦ୍ଧା ମନ୍ଦିର ଖୋଲିବାକୁ ନିବେଦନ କରିଥିଲେ । ନଚେତ ଆସନ୍ତା 7 ତାରିଖରେ ସଙ୍ଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରିବାକୁ ନିବେଦନ କରିଥିଲେ । କିନ୍ତୁ ସରକାର କୋରୋନା କଟକଣା ଯୋଗୁଁ ସେମାନଙ୍କୁ ଏହି ଶୋଭାଯାତ୍ରା କରିବାକୁ ଅନୁମତି ନଦେବାରୁ ଆସନ୍ତା 7 ତାରିଖରେ ସଙ୍ଘ ପକ୍ଷରୁ ସେବାୟତମାନେ ରାଜ୍ୟର ବିଭିନ୍ନ ମନ୍ଦିର ଓ ସେମାନଙ୍କ ଘର ସମ୍ମୁଖରେ ଘଣ୍ଟ ବାଦନ କରି ସରକାରଙ୍କ ନିଦ୍ରା ଭଙ୍ଗ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।
କାରଣ ସରକାର ଅନଲକ ପ୍ରକ୍ରିୟାରେ ସବୁ ଖୋଲୁଥିବାବେଳେ ମନ୍ଦିର ନଖୋଲିବାରୁ ସେବାୟତମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଉ ନାହିଁ । ତେଣୁ ସେମାନେ ବାଧ୍ୟ ହୋଇ ଏପରି କରିବାକୁ ଯାଉଥିବା ସଙ୍ଘ ସଭାପତି କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ