ଭୁବନେଶ୍ବର: ସ୍କୁଲ୍ ବସ୍ର ହେବ ମାନ ପରୀକ୍ଷା । କୋମଳମତି ଶିଶୁଙ୍କୁ ପ୍ରତିଦିନ ସ୍କୁଲ ନେବା ଆଣିବା କରୁଥିବା ଗାଡି କେତେ ସୁରକ୍ଷିତ ତାହା ଯାଞ୍ଚ କରିବେ ରାଜ୍ୟ ସରକାର । ଏନେଇ ଏକ ସ୍ୱତନ୍ତ୍ର ଅଭିଯାନ ଆସନ୍ତାକାଲି(ବୁଧବାର)ଠାରୁ ୨୭ ତାରିଖ ଯାଏଁ ଏହି ଯାଞ୍ଚ କରିବାକୁ ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ RTOମାନଙ୍କୁ ଏନେଇ ଚିଠି କରିବା ସହ ସମସ୍ତ ସ୍କୁଲ୍ ବସ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍କୁଲ୍ ବସ୍ର ବୈଧ ପ୍ରମାଣପତ୍ର, ଅନୁମତି ପତ୍ର ତଥା ଫିଟ୍ନେସ୍ ସାର୍ଟିଫିକେଟର ଯାଞ୍ଚ ହେବ । ଯଦି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ ତେବେ ଚାଲାଣ କାଟିବା ସହ ରାଜ୍ୟ ପରିବହନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବ । କେବଳ ସ୍କୁଲ୍ ବସ୍ ନୁହେଁ ଅନ୍ୟ ଛୋଟ ଗାଡ଼ି ଉପରେ ବି ରହିବ ପରିବହନ ଅଧିକାରୀଙ୍କ ନଜର । ନିୟମ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସ୍କୁଲ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ପରିବହନ ବିଭାଗର ଏଭଳି ଅଭିଯାନକୁ ସ୍କୁଲ୍ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି । ସ୍କୁଲ୍ ବସ୍ ଯାଞ୍ଚ ନେଇ କର୍ତ୍ତୃପକ୍ଷ ପ୍ରସ୍ତୁତ ରହିଛନ୍ତି । ସ୍କୁଲ୍ କାଗଜପତ୍ର ସଠିକ ରହିଥିବା ବେଳେ ପିଲାଙ୍କ ପାଇଁ ଅନ୍ୟାନ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ସ୍କୁଲ କରୁଛି ବୋଲି କହିଛନ୍ତି ବିଭିନ୍ନ କର୍ତ୍ତୃପକ୍ଷ ।
ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଚାଲିଥିବା ବେଳେ ସ୍କୁଲ୍ ପିଲାଙ୍କ ସୁରକ୍ଷା କଥା ଚିନ୍ତା କରିବା ନିହାତି ଆବଶ୍ୟକ । ବସ୍ ହେଉ କି ଅଟୋ ବା ଅନ୍ୟାନ୍ୟ ଛୋଟ ଗାଡି ଯଦି ଠିକ୍ ରୁହେ ତେବେ ଦୁର୍ଘଟଣାକୁ ଏଡ଼ାଇ ହେବ । ସେପଟେ ଅଭିଭାବକଙ୍କ କହିବା କଥା ଏ ଅଭିଯାନ ୭ ଦିନ ଭିତରେ ସୀମିତ ନ ରହୁ । ବାରମ୍ବାର ପିଲାଙ୍କ ସୁରକ୍ଷା ପାଇଁ ଏଭଳି ସ୍ୱତନ୍ତ୍ର ଯାଞ୍ଚ କରିବା ଆବଶ୍ୟକ । ନିୟମ ଖିଲାପକାରୀଙ୍କ ବିରୋଧରେ RTO କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କହଛନ୍ତି ଅଭିଭାବକ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ