ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପିକଳ୍ପକୁ ନେଇ ବାଦ ବିବାଦ ଲାଗି ରହିଛି । ଏହାରି ଭିତରେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପୁରୀ ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର । ଏହାକୁ ନେଇ ସମ୍ୱିତଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ଗଣମାଧ୍ୟମରେ ଚିତ୍ରଣ ହୋଇ ରହିବା ଲାଗି ଏହା ତାଙ୍କର କାରନାମା ବୋଲି କହିଛନ୍ତି ପ୍ରତାପ କହିଛନ୍ତି । ପ୍ରତାପ ଦେବ କହିଛନ୍ତି ଯେ, ଯେହେତୁ ଶ୍ରୀମନ୍ଦିର ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ଅଛି, ଅଇନଗତ ଦିଗ ଉପରେ କହିବା ଉଚିତ ନୁହେଁ । ସମ୍ବିତ ପାତ୍ର ଜଣେ ମୁଖପାତ୍ର ହିସାବରେ ଡ୍ରାମା କରୁଛନ୍ତି । ପୁରୀର ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ କି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ।
ପୁରୀର ଜଗନ୍ନାଥ ମନ୍ଦିର ଓ ଏହାର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ କେବେ ମୁଣ୍ଡ ଖେଳାଇ ଥିଲେ କି ସମ୍ବିତ ? ସେ ଯେପରି ପ୍ରହସନ କରୁଛନ୍ତି, ଯେମିତିକି ସେ ପୁରୀରେ ଜନ୍ମ ହୋଇଛନ୍ତି । ପୁରୀରେ ସେ କାମ କରୁଥିଲେ । ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଯେଉଁଭଳି କାର୍ଯ୍ୟ କରୁଛନ୍ତି, ତାହା ଗତ ନିର୍ବାଚନ ସମୟରେ ସମସ୍ତେ ଦେଖିଛନ୍ତି । ପୋଖରୀରେ ପଶି ଗାଧୋଇବା । ପିଣ୍ଡାରେ ବସି ଖାଇବା । ଗ୍ୟାସ ଟାଙ୍କି ଧରି ବୁଲିବା । ଏହା ହେଉଛି ତାଙ୍କର ମିଡିଆ ଅପ୍ସ । ଗଣମାଧ୍ୟମରେ ଚିତ୍ରଣ ହୋଇ ରହିବା ସହ ଲୋକଙ୍କ ମାନସ ପଟରେ ରହିବା ଲାଗି ଏହା ତାଙ୍କର କାରନାମା । ଆଉ କିଛି ନୁହେଁ । ଶ୍ରୀମନ୍ଦିର ପ୍ରସଙ୍ଗରେ ସତ୍ୟ କଣ ସମସ୍ତେ ଜାଣିଛନ୍ତି । ତଥ୍ୟ ସମସ୍ତଙ୍କ ପାଖରେ ଅଛି । କେଶ ବିଚାରାଧୀନ ଅଛି । କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ହେବ । କେନ୍ଦ୍ର ଓ ରାଜ୍ୟ ସରକାର ସେ ନେଇ ପଦକ୍ଷେପ ନେବେ ।
ସମ୍ବିତ ମଝିରେ ମଝିରେ ଆସି ଯେଉଁ ନାଟକ କରୁଛନ୍ତି ତାହା ନିନ୍ଦନୀୟ । ଆସି ମୋ ରାଣ ମୋତେ ଭଲ ପା ଉକ୍ତି ପରି ସମ୍ବିତ କାର୍ଯ୍ୟ କରୁଛନ୍ତି । ମୁଁ ସବୁ ଜାଣିଛି । ମୁଁ କେବଳ ଜଗନ୍ନାଥଙ୍କ ପାଇଁ ବହୁତ ବ୍ୟସ୍ତ, ଏହା ଅତି ଭକ୍ତି ଚୋରର ଲକ୍ଷଣ ବୋଲି କୁହାଯାଏ । ଦଳର ଜଣେ ଦଇତ୍ବବାନ ପ୍ରତିନିଧି ଭାବେ ସମ୍ବିତଙ୍କ କାର୍ଯ୍ୟ ଶୋଭା ପାଉନି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ