ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ଉଠିଛି ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ବିଜେପି ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି । ଏହା ବିଶ୍ବସ୍ତରୀୟ ପ୍ରଶ୍ନପତ୍ର ଲିକ ଘଟଣା କହି ସେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଲଗାତାର 3 ଦିନ ହେଲା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି । ଶୂନ୍ୟକାଳରେ ଏନେଇ ପ୍ରଶ୍ନ ଉଠାଇ ସରକାରଙ୍କୁ ବିରୋଧୀ ଦଳ ଉପନେତା ସମାଲୋଚନା କରିଛନ୍ତି ।
ବିଷ୍ଣୁ କହିଛନ୍ତି ଯେ,''ରାଜ୍ୟ ସରକାର ସବୁବେଳେ କହୁଛନ୍ତି ଆମେ ସବୁଥିରେ ବିଶ୍ବସ୍ତରୀୟ । ସରକାରୀ ଦଳର ନେତା କୁହନ୍ତି ସବୁ ସଫଳତା ମୁଖ୍ୟମନ୍ତ୍ରୀଙ୍କ ଲାଗି ସମ୍ଭବ ।'' ପ୍ରଶ୍ନପତ୍ର ଲିକ୍ ଘଟଣା ମୁଖ୍ୟମନ୍ତ୍ରୀଙ୍କ ସଫଳତା କି, କହି ସରକାରୀ ଦଳକୁ ବିଷ୍ଣୁ ସେଠୀ କଟାକ୍ଷ କରିଛନ୍ତି । ବାସ୍ତବରେ ଶିକ୍ଷା କ୍ଷେତ୍ରରେ କ'ଣ ହେଉଛି ସେନେଇ ସେ ପ୍ରଶ୍ନ କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି, ''ଛାତ୍ରଛାତ୍ରୀଙ୍କୁ ପାସ୍ କରାଇବାକୁ ଆମ ଶିକ୍ଷାମନ୍ତ୍ରୀ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇ ବିଶ୍ବସ୍ତରୀୟ କରିବାକୁ ଚାହୁଁଛନ୍ତି । ଯାହାପାଇଁ ଏଭଳି ଅନେକ ଘଟଣା ଘଟିଥିଲେ ମଧ୍ୟ ଏହା କିନ୍ତୁ ସାମ୍ନାକୁ ଆସୁନି । ଏବେ ଦଶମ ପରୀକ୍ଷା ଫଳ ବାହାରିଛି, ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । କେଉଁ ସରକାରୀ ହାଇସ୍କୁଲ ସଫଳତା ପାଇଛି ମନ୍ତ୍ରୀ ଉତ୍ତର ଦିଅନ୍ତୁ ।''
ଏହାସହ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଲିକ୍ ଘଟଣାରେ ଦୁଇ ସନ୍ଦିଗ୍ଧ ଅଧ୍ୟାପକ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଛି । ଜଣେ ମନ୍ତ୍ରୀଙ୍କ ପୁଅକୁ ପାସ କରାଇବା ପାଇଁ କଣ କରାଯାଇଥିଲା, ଏ ବାବଦରେ ଗୃହରେ ନଜିର ରହିଛି । ଏଭଳି ଘଟଣା ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏ ପ୍ରସଙ୍ଗରେ ଗୃହରେ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦାବି କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର