ଭୁବନେଶ୍ବର: ବାତ୍ୟା ଜୱାଦ (Cyclone Jawad) କୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି (Revenue Minister Sudam Marandi ) ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ଦିଗରେ ପ୍ରସ୍ତୁତ ରହିବାକୁ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧା ଆଦି ୬ ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଜନସାଧାରଣଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।
ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଖାଦ୍ୟ, ପାନୀୟ, ପରିମଳ ଓ ସ୍ବଚ୍ଛତା ରକ୍ଷା କରିବା ସହ ବୟସ୍କ ଲୋକ, ଗର୍ଭବତୀ ମହିଳା, ଛୋଟପିଲାମାନଙ୍କର ନିରାପତ୍ତା କ୍ଷେତ୍ରରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ପ୍ରାଥମିକ ଚିକିତ୍ସା ଓ ଆବଶ୍ୟକୀୟ ଔଷଧର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ