ଭୁବନେଶ୍ବର: ପଞ୍ଚାୟତିରାଜ ବ୍ୟବସ୍ଥାରେ ସମସ୍ତ ୩୦ଟି ଜିଲ୍ଲା ପରିଷଦ ବିଜେଡି ଖାତାକୁ ଯାଇଛି । ତେବେ ଏହାପରେ ଦଳ ପାଇଁ ଗୁରୁ ଦାୟିତ୍ୱ ବଢିଲା ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡି ଦମଦାର ପ୍ରଦର୍ଶନ କରି ବିରୋଧୀଙ୍କୁ ପଛରେ ପକାଇ ଦେଇଥିଲା ।
ମୁନ୍ନା କହିଛନ୍ତି ଯେ, "୩୦ ଜିଲ୍ଲା ପରିଷଦ ମିଳିବା ଓଡିଶା ଇତିହାସରେ ପ୍ରଥମ । ତେଣୁ ଆମକୁ ଓଡିଶାବାସୀ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଏହିଭଳି ଐତିହାସିକ ବିଜୟ କେବେ କାହାର ହୋଇ ନଥିଲା । ଏଥିପାଇଁ ଆମକୁ ଅଧିକ ଦାୟିତ୍ୱ ସମ୍ପନ୍ନ ହେବାକୁ ପଡ଼ିବ । ଲୋକଙ୍କ ବିଶ୍ଵାସକୁ କାଏମ ରଖି କାମ କରିବାକୁ ହେବ ।"
ପଞ୍ଚାୟତ ସମିତି ଅଧ୍ୟକ୍ଷ କ୍ଷେତ୍ରରେ ଅନେକ ସ୍ଥାନରେ ବିଜେଡିର ଦୁଇଟି ଗ୍ରୁପ ଥିଲେ । ଏଭଳି ହେବା ସ୍ୱାଭାବିକ ବୋଲି କହିଛନ୍ତି ମୁନ୍ନା ଖାଁ । ଏହାପରେ ବି ବିଜେଡି ୨୭୭ ଆସନ ପାଇଛି । ବିଜେଡି ଭଳି ବଡ଼ ଦଳରେ ଅସନ୍ତୋଷ, ଅନ୍ତଃଦ୍ଵନ୍ଦ ଓ ମନୋମାଳିନ୍ୟ ରହିବାଟା ସ୍ବଭାବିକ । ତାହା ଦଳ ଭିତରେ ସମାଧାନ କରାଯିବ ବୋଲି କହିଛନ୍ତି ମୁନ୍ନା ଖାଁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ