ଭୁବନେଶ୍ବର: ରେଗୁଲାର ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ସୁବିଧା ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ । ପରବର୍ତ୍ତୀ ସମୟରେ ଯଦି କିଛି ସିଟ ବଳକା ହୁଏ ତେବେ ଫାଇନାନ୍ସ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ହଷ୍ଟେଲର ସୁବିଧା ପାଇପାରିବେ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ଏବଂ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଲା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ।
ରେଗୁଲାର ଛାତ୍ରଛାତ୍ରୀମାନେ ଅନେକ ସମୟରେ ହଷ୍ଟେଲର ସୁବିଧା ପାଉ ନ ଥିବାବେଳେ ଅନେକ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକ ଫାଇନାନ୍ସ କୋର୍ସର ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲର ସୁବିଧା ଯୋଗାଉଛନ୍ତି ବୋଲି ଉଚ୍ଚ ଶିକ୍ଷା ବିଭାଗରୁ ଦୃଷ୍ଟିକୁ ଆସିଛି । ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଅଗ୍ରାଧିକାର ଭିତ୍ତିରେ ରେଗୁଲାର ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ସୁବିଧା ପ୍ରଦାନ କରାଯିବା ଉଚିତ୍ । ହଷ୍ଟେଲରେ ରହିବାକୁ ଇଚ୍ଛା କରୁଥିବା ରେଗୁଲାର ପାଠ୍ୟକ୍ରମର ସମସ୍ତ ଛାତ୍ରଛାତ୍ରୀମାନେ ରହିବା ପରେ, ଯଦି କିଛି ହଷ୍ଟେଲ ସିଟ୍ ଖାଲି ରହିଯାଏ, ତେବେ ସେହି ବଳକା ସିଟଗୁଡିକୁ ଫାଇନାନ୍ସ ପାଠ୍ୟକ୍ରମର ଛାତ୍ରମାନଙ୍କ ପାଇଁ ବିଚାର କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ