ଭୁବନେଶ୍ବର: ସାରା ରାଜ୍ୟରେ ମୌସୁମୀ ସକ୍ରିୟ। ୨୩ ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଯାହା ଫଳରେ 5 ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ୱେଲ ମାର୍କର ରୂପ ନେଇଛି। ୱେଲ ମାର୍କ ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓ ଝାଡଖଣ୍ଡ ଆଖପାଖରେ ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ,ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଏବଂ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଲଗାଣ ବର୍ଷା ନେଇ ଜଳବନ୍ଦୀ ସମସ୍ୟା ଉପୁଜିପାରେ, କିଛି ସ୍ଥାନରେ ଆକସ୍ମିକ ବନ୍ୟା ନେଇ ଆଶଙ୍କା ମଧ୍ୟ କରାଯାଇଛି । ଏବଂ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ମଧ୍ୟ ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ଏବଂ କଚ୍ଚା ଘର ଓ ରାସ୍ତା ଭାଙ୍ଗିବାର ସମ୍ଭାବନା ରହିଛି । ସେହିଭଳି କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗତ ୨୪ ଘଣ୍ଟା ଭିତରେ କଟକ ଜିଲ୍ଲା ସାଲେପୁରରେ ୩୦୦ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଟ୍ବିନସିଟିରେ ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ