ଭୁବନେଶ୍ବର: ବାଦ୍ୟ,ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଲୋକମାନଙ୍କ ମନୋରଞ୍ଜନ କରିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟିଲା 'ରାଜଧାନିଥି ନୂଆଁଖାଇ' । ପଶ୍ଚିମ ଓଡିଶାର ଏହା ମୁଖ୍ୟ ପର୍ବ ହୋଇଥିବାବେଳେ ରାଜଧାନୀର ଲୋକମାନଙ୍କ ନିକଟରେ ଏହାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ଗତ 4 ବର୍ଷ ଧରି ଭୁବନେଶ୍ବରରେ 'ରାଜଧାନିଥି ନୂଆଁଖାଇ' କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ତେବେ ଚଳିତ ବର୍ଷ ମଧ୍ୟ ଖୁବ୍ ଧୁମ ଧାମର ସହ ଏହାକୁ ପାଳନ କରିଛନ୍ତି ରାଜଧାନୀବାସୀ ।
ନିଜକୁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଭାବେ ନବାଣ୍ଟି ପରସ୍ପର ମଧ୍ୟରେ ସମ୍ପର୍କ ବଢ଼ାଇବା ଲକ୍ଷ୍ୟରେ ଏହା ପ୍ରତିବର୍ଷ ଆୟୋଜନ ହେଉଛି । ସୁର ଭାଇବ୍ରେସନର ମୁଖ୍ୟ ଜୟଶ୍ରୀ ଧଳ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେହିପରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ପରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକୁ ଉପସ୍ଥିତ ଦର୍ଶକମାନେ ବେଶ ଉପଭୋଗ କରିଛନ୍ତି ।
ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ବିଧାୟକ ଅନନ୍ତ ନାରାୟଣ ଜେନା, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାଷ ଚୌହାନ, ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଓ ଅନ୍ୟ ଅତିଥିମାନେ ଯୋଗଦେଇ ଏହି ଭାଇଚାର ପ୍ରତିଷ୍ଠା ପାଇଁ ଅନୁଷ୍ଠାନର ପ୍ରୟାସକୁ ପ୍ରସଂଶା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ସୁଶୀଲ ଦାସ ଧନ୍ୟବାଦ ବାର୍ତ୍ତା ଦେବା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ