ହାଇଦ୍ରାବାଦ: ଗୋଟିଏ ବର୍ଷର ଅପେକ୍ଷା ପରେ ପୁଣି ଆସି ହସ, ଖୁସି, ପିଠାପଣା ଆଉ ମଉଜ ମଜଲିସର ପର୍ବ ରଜ ଆସି ଉପନୀତ । ସବୁ କୁଆଁରୀଙ୍କ ମନରେ କେତେ ଆଶା ଏହି ପର୍ବକୁ ନେଇ । ନୂଆ ପୋଷାକ, ସଜବାଜ, ପୋଡ଼ ପିଠା ଆଉ ରଜ ପାନ ଖାଇ ଖିଲିଖିଲି ହସୁଥିବା ନାଲିଆ ଓଠ । ତେବେ ଗତବର୍ଷ ଠାରୁ କୋରୋନା ମହାମାରୀ ଫିକା କରି ଦେଇଛି ରଜ ମଉଜକୁ । ବାହାରେ ଦୋଳି ଖେଳ ଉପରେ ଲାଗିଛି କଟକଣା । ଏଥର ମଧ୍ୟ କୋରୋନାର ଦ୍ବିତୀୟ ଲହରୀ ରଜ ଉପରେ ଲଗାଇ ଦେଇଛି ଗ୍ରହଣ ।
ଗାଁ ଆମ୍ବତୋଟାରେ ଆଉ ଶୁଭିବନି ଦୋଳିର କେଁ କଟର ଶବ୍ଦ । ବାଗୁଡ଼ି, କବାଡ଼ି ଖେଳରେ ଗାଁ ଦାଣ୍ଡରେ ଉଡ଼ିବନି ଧୂଳି । ହାତ ଧରାଧରି ହୋଇ ସାଙ୍ଗ ମେଳରେ ବୁଲିବେନି ସଜବାଜ ହୋଇଥିବା ଗାଁ କିମ୍ବା ସହରୀ ଝିଅ । ସବୁ ଖୁସିରେ ପାଣି ପକାଇ ଦେଇଛି କୋରୋନା । ତଥାପି ପର୍ବର ପାଇଁ ଉତ୍ସାହିତ ସାରା ଓଡ଼ିଶା । ଲକ୍ଡାଉନ ହେଲେବି ସମସ୍ତ ହସ ଖୁସିରେ ପାଳିବେ ରଜ ।
ରଜର ବିଶେଷତ୍ବ
ରଜ ଓଡ଼ିଶାର ଏକ ପାରମ୍ପାରିକ ଗଣ ପର୍ବ । ଏହାକୁ ତିନିଦିନ ଧରି ପାଳନ କରାଯାଏ । ପ୍ରଥମ ଦିନ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନରେ ଭୂମି ଦହନ । ଚତୁର୍ଥ ଦିନରେ ଅନୁଷ୍ଠିତ ହୁଏ ବସୁମତି ସ୍ନାନ ।
ରଜ ପର୍ବ ଚାଷର ଆରମ୍ଭରୁ ସୂଚାଇଥାଏ । ରଜ ଶବ୍ଦର ମାନେ ହେଇଛି ରଜବତୀ ବା ସଜସ୍ବଳା ହେବା । ଏହି ତିନି ଦିନ ମାତା ବସୁମତୀ ରଜସ୍ବଳା ହୁଅନ୍ତି ବୋଲି ବିଶ୍ବାସ କରାଯାଏ । ଏହାସହ ନୂତନ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବର୍ଣ୍ଣନା କରେ । ଏହି ଦିନରେ ଚାଷୀ ମାନେ ହଳଲଙ୍ଗଳ ପୂଜା କରନ୍ତି ଓ ତିନି ଦିନ ପାଇଁ ଚାଷ କାର୍ଯ୍ୟରୁ ବିରତ ରୁହନ୍ତି।
ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସରେ ମୁନି ଋଷି ଓ ସାଧବମାନେ ସେମାନଙ୍କ ଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା’ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ ‘‘ମେଘଦୂତମ’’ ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିପି ଓ ଇତିକଥା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା’ ହୁଅନ୍ତି ରଜସ୍ବଳା । କୃଷି ପ୍ରଧାନ ଆମର ଏଇ ଦେଶରେ ମାଟି ମା ଅନେକ ଫଳ ଫଳାଇ ଆମ ହାତକୁ ଟେକିଦିଏ । ମା’ ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ ଠିକ୍ ସେମିତି ଫଳଧାରଣ ପୂର୍ବରୁ ମାଟି ମା’କୁ ରଜ ତିନି ଦିନ ବିଶ୍ରାମ ଦିଆଯାଏ ବୋଲି କୁହାଯାଏ । ଏହି ତିନି ଦିନ ଭୂମି ଖନନକୁ ବାରଣ କରାଯାଇଥାଏ ।
ରଜ ପାଳନ
ଏହି ପର୍ବରେ ଘରଣୀ ମାନଙ୍କୁ ମଧ୍ୟ ସାଧାରଣ କାମରୁ ଛୁଟି ମିଳେ । ସେମାନେ ମଧ୍ୟ ବିଭିନ୍ନ ଖେଳରେ ମଜ୍ଜି ଯାଆନ୍ତି । ଅବିବାହିତା ଝିଅ ମାନେ ନୂଆ ଲୁଗା ପିନ୍ଧି ଦୋଳି ଓ ପୁଚି ଖେଳ ଆଦିରେ ସମୟ ବିତାନ୍ତି । ଏହି ଦିନ ଧରିତ୍ରୀ ମା’ଙ୍କୁ ସମ୍ମାନ ଦେଖାଇ କେହି ଭୂମି ଉପରେ ପାଦ ଥାପରି ଚାଲନ୍ତି ନାହିଁ । ସମସ୍ତେ କଦଳୀ ପାଟୁକା, କିମ୍ବା ଗୁଆ ଖୋଳପା ପିନ୍ଧି ଚାଲନ୍ତି ।
ରଜ ପିଠା
ପହିଲି ରଜରେ ବହୁ ରକମର ପିଠା ପଣା କରାଯାଇଥାଏ । ବିଶେଷ କରି ପୋଡପିଠା, ଚକୁଳି ପିଠା ଓ ଛଣା ପିଠା ହୋଇଥାଏ । ଯାହାକୁ ସଭିଏଁ ଖୁବ୍ ଆନନ୍ଦରେ ଖାଇଥାନ୍ତି ।
ରଜ ପାନ
ରଜରେ ପାନ ଖାଇବାର ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ପ୍ରେମ, ପ୍ରୀତି, ବନ୍ଧୁତାର ବନ୍ଧନ ହେଉଛି ପାନ । ପାନ ଦିଏ, ନିଏ, ଖଏ, ଖୁଆଏ, ଗୋପନ କଥା କହେ ଓ ପଚାରେ । ଏଇ ଛ’ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ପ୍ରଭୁ ଜଗନ୍ନାଥ ମଧ୍ୟ ଭୋଜନାପରାନ୍ତେ ପାନ ଖାଇବାର ପରମ୍ପରା କେଉଁ ଯୁଗରୁ ରହି ଆସିଛି । ରଜ ପାନର ଚମକ ଓ ମହକ ଅନ୍ୟ ସବୁ ବେଳର ପାନକୁ ବଳି ପଡ଼େ । ରଜ ଆଭୂଷଣକୁ ପାନ ଆହୁରି ଦ୍ବିଗୁଣିତ କରେ । ରଜ ପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ନଡ଼ିଆ ଖଣ୍ଡ, ଗୁଆ ଗୁଣ୍ଡି, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମଧୁରି, ସୁବାସିତ ଜାଫ୍ରାନ କେଶର, ଖଇର, ପରି 10-12 ପ୍ରକାର ପାନ ମସଲା ବ୍ୟବହାର ହୋଇଥାଏ ।
ପାନକୁ ନେଇ ଗୀତ ବି ଅଛି...
ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଥିଲା ଶିରରେ, ରାଜା ହୋଇଗଲା ରଜେରେ...
ରଜ ଦୋଳି
ରଜରେ ବିଭିନ୍ନ ପ୍ରକାର ଦୋଳି ଖେଳ ହୋଇଥାଏ । ବାଉଁଶ ଦୋଳି, ପଟା ଦୋଳି, ଡଙ୍ଗା ଦୋଳି, ଚକ୍ରି ଦୋଳି, ରାମ ଦୋଳି ଆଦି ଲଗାଯାଏ । ଦୋଳିରେ ଝିଅ ମାନେ ଓ ମହିଳା ମାନେ ବସି ଆକାଶକୁ ଛୁଇଁ ଫେରି ଆସନ୍ତି । ସେ ଆନନ୍ଦ ଉଲ୍ଲାସର ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ ।
ରଜ ଖେଳିବା ବେଳେ ସଭିଏଁ ଗାଇ ଉଠନ୍ତି...
ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ....
ତେବେ ଏଥର କୋରୋନା କାଳରେ ଦୋଳି ଆମ୍ବ ତୋଟାରେ ନହେଉ ପଛେ ବାଡ଼ିପଟେ ଦୋଳି ବାନ୍ଧି ପରିବାର ସହ ଦୋଳି ଖେଳ ହେବ । ସାଙ୍ଗସାଥୀ ସହ ବୁଲି ନପାରିଲେ ବି ଘରେ ଭିନ୍ନ ଭିନ୍ନ ପିଠାପଣାରେ ଘର ମହକିବ । ରଜ ପାନରେ ଓଠ ବି ଲାଲ୍ ହେବ । ବାହାରକୁ ଯାଇ ନପାରିଲେ ବି ରଜରେ ସଜ ହୋଇ ସାଙ୍ଗ ମାନଙ୍କ ସହ ଭିଡ଼ିଓ କଲ୍ ହେବ । ସହରରେ ବି ରଜ ପର୍ବ ଆୟୋଜନ ବନ୍ଦ ହୋଇଛି କିନ୍ତୁ କେଉଁଠି ଛାତ ଉପରେ ଦୋଳି ତ ଆଉ କେଉଁଠି ଘର ଭିତର ଦୋଳିରେ ଏଥର ମନ ବୁଝିବ । ମହାମାରୀ ରଜ ମଉଜକୁ ଫିକା କରିଛି ସତ କିନ୍ତୁ ରଜ ପାଳନର ଉତ୍କଣ୍ଠା, ଆନନ୍ଦ ଓ ଉଲ୍ଲାସକୁ କମେଇ ପାରି ନାହିଁ ।
ଏହି ରଜରେ ଆପଣ ମାନେ ବି ପରିବାର ସହ ରଜ ପାଳନ୍ତୁ । ଲକ୍ଡାଉନ ନିୟମ ମାନି ଘରେ ପିଠା-ପାନ ଖାଇ ସଜବାଜ ହୋଇ ରଜର ଆନନ୍ଦ ନିଅନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ