ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଙ୍ଗ 2021। ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତାର ମିଳିତ ସହଯୋଗରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ନାଟ୍ୟ ଉତ୍ସବ ପୂର୍ବରଙ୍ଗ 2021।
ଯାହାର ମୁଖ୍ୟ ଉଦେଶ୍ୟ ଦେଶର ବିଭିନ୍ନ ପ୍ରାନ୍ତର ବିଭିନ୍ନ ଭାଷାଭାଷୀ ନାଟକକୁ ଗୋଟିଏ ମଞ୍ଚରେ ପରିବେଷଣ କରିବା ସହ ଦର୍ଶକ, ନାଟ୍ୟକାର ଓ କଳାକାରଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା। 9ମ ବର୍ଷରେ ପଦାର୍ପଣ କରିଥିବା ଏହି ଉତ୍ସବରେ ଓଡିଶା ସମେତ 5ଟି ରାଜ୍ୟରୁ ଲବ୍ଧ ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ମାନେ ଅଂଶଗ୍ରହଣ କରି ସେମାନଙ୍କ ଶ୍ରେଷ୍ଠ ନାଟକ ପରିବେଷଣ କରିବେ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ଯେଉଁଥିରେ ଓଡ଼ିଶାର ଜୀବନରେଖା ଥିଏଟର ଗ୍ରୁପ, ଭୋପାଳର ବିହାନ ଡ୍ରାମା ୱାର୍କସ, ଆସାମର ସିଗୁଲ ଥିଏଟର, ନୂଆଦିଲ୍ଲୀର ଆକ୍ଟର୍ସ ରିପୋଟୋରି ଥିଏଟର ଏବଂ ୟୁନିକୋରନ ଆକ୍ଟର୍ସ ଷ୍ଟୁଡିଓ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି।
ଏହି ଅବସରରେ ପ୍ରତି ସଂନ୍ଧ୍ୟାରେ ନାଟକ ଶେଷ ହେବା ପରେ ନାଟ୍ୟ ନିର୍ଦ୍ଦେଶକ ଓ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ନାଟକକୁ ନେଇ ଭାବ ବିନିମୟର କାର୍ଯ୍ୟକ୍ରମ ରହିଥିବା ଓଡିଶା ସଙ୍ଗୀତ ଏକାଡେମୀର ସଚିବ ପ୍ରବୋଧ ରଥ କହିଛନ୍ତି। ତେବେ ଏବେ ନୂଆ କୋରୋନା ଷ୍ଟ୍ରେନ ସଂକ୍ରମଣର ଭୟ ଥିବାରୁ କଡା କଟକଣା ମଧ୍ୟରେ ଏହି ଉତ୍ସବ ଆୟୋଜନ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ