ଭୁବନେଶ୍ବର: ରାଜ୍ୟରେ ବେଧଡକ ଚାଲିଛି ସେକ୍ସ ରାକେଟ । ହୋଟେଲ ଓ ସ୍ପା ସେଣ୍ଟରରେ ବଢୁଛି ବ୍ୟବସାୟ । ସାମିଲ ହେଉଛନ୍ତି ବାଙ୍ଗଲା ଓ ଥାଇଲାଣ୍ଡ ଗାର୍ଲ । ଫୋନରେ ଫିକ୍ସ ହେଉଛି ରେଟ୍ । ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ରହିଛି ବେଶ ଡିମାଣ୍ଡ ।
ବିଗତ କିଛି ଦିନ ଧରି ରାଜ୍ୟରେ ବଢି ଚାଲିଛି ଏପରି କାରବାର । ଗ୍ରାହକଙ୍କ ଡିମାଣ୍ଡ ଦେଖି ଚାଲୁଛି ବ୍ୟବସାୟ । ଯୁବତୀଙ୍କ ପାଇଁ ରାତି ପିଛା ନେଉଛନ୍ତି 5 ରୁ 10 ହଜାର ଟଙ୍କା । ପୋଲିସ ସ୍କାନରରୁ ବର୍ତିବାକୁ ହ୍ବାଟସପ୍ ଚାଟିଂରେ ରେଟ ଫିକ୍ସ କରି ଅନଲାଇନରେ ଚାଲୁଛି କାରବାର । ଯୁବତୀଙ୍କୁ ନେଇ ଠିକଣା ସ୍ଥାନରେ ପହଞ୍ଚୁଛନ୍ତି ଦଲାଲ । ଆଉ ହୋମ ସର୍ଭିସଠୁ ଆରମ୍ଭ କରି କର୍ପୋରେଟ ପ୍ଲେସ ପର୍ଯ୍ୟନ୍ତ ଚାରିଆଡେ ଖେଳିଛି ସେକ୍ସ ରାକେଟର ନେଟୱାର୍କ ।
ଯାହାର ସୁରାକ ବିଗତ ଦିନର କିଛି ରେଡ ବେଳେ ସାମ୍ନାକୁ ଆସିଛି...
2020 ଜାନୁଆରୀ 21 ତାରିଖ
ଲିଙ୍ଗରାଜ ଥାନା ଓଲଡଟାଉନର ଏକ ଭଡା ଘରୁ ଉଦ୍ଧାର ହେଲେ 6 ଦେହଜୀବିଙ୍କ ସହ 2 କଷ୍ଟମର । ଏସଟିଏଫର ଛାନଭିନ ପରେ 15ରୁ ଉର୍ଦ୍ଧ୍ବ ଯୁବତୀଙ୍କୁ ଉଦ୍ଧାର ସହ ଗିରଫ ହୋଇଥିଲେ ଦେହ ଦଲାଲ ମାଷ୍ଟରମାଇଣ୍ଡ ସମେତ 10 ଜଣ । ମିଳିଥିଲା ବାଙ୍ଗଲାଦେଶୀ ଯୁବତୀ ଚାଲାଣର ସୁରାକ ।
2019 ଡିସେମ୍ବର 25 ତାରିଖ
ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ହୋଟେଲରୁ ଗିରଫ ହୋଇଥିଲା ବାଙ୍ଗଲା ଗାର୍ଲ । ସାମ୍ନାକୁ ଆସିଥିଲା ଫେକ ଆଧାର କାର୍ଡରେ ବୁଲୁଛନ୍ତି ବାଙ୍ଗଲା ଗାର୍ଲ ।
2019 ଡିସେମ୍ବର 1 ତାରିଖ
ଖଣ୍ଡଗିରି ଏମସ ନଗର ହୋଟେଲ ସନସିପରୁ 6 ଦେହଜୀବିଙ୍କୁ ଉଦ୍ଧାର ସହ 4 ଜଣଙ୍କୁ ଗିରଫ କରିଥିଲା ପୋଲିସ । ଜାଣିବାକୁ ପାଇଥିଲା କର୍ପୋରେଟରେ ଚାକିରି କରୁଥିବା ଯୁବତୀଙ୍କୁ କିପରି କରାଯାଉଛି ନିୟୋଜିତ ।
2019 ସେପ୍ଟେମ୍ବର 4 ତାରିଖ
ଖଣ୍ଡଗିରି ଥାନା ଭରତପୁର ସିଡିଏରୁ ଉଦ୍ଧାର ହୋଇଥିଲେ 3 ଦେହଜୀବି ସହ ଗିରଫ ହୋଇଥିଲେ 2ଜଣ ଗ୍ରାହାକ । ସାମ୍ନାକୁ ଆସିଥିଲା ଅନଲାଇନ ସର୍ଭିସର ଗୁମର ।
ସେହିପରି 2018 ମେ 29 ତାରିଖରେ ଖାରବେଳନଗର ଥାନା ଅଞ୍ଚଳର ରଙ୍ଗିଲା ବାରରୁ ରେଡବେଳେ ଥାଇଲାଣ୍ଡ ଯୁବତୀ ଉଦ୍ଧାର ସହ ଗିରଫ ହୋଇଥିଲେ 4ଜଣ । ସାମ୍ନାକୁ ଆସିଥିଲା ଥାଇଗାର୍ଲ ଲିଙ୍କ୍ । ତେବେ ବାରମ୍ବାର ରେଡ ସତ୍ତ୍ବେ ମଧ୍ୟ ବନ୍ଦ ହେଉନି କାରବାର । ଫଳରେ ଦେହ ଦଲାଲଙ୍କ ବଢୁଛି ପ୍ରାଦୁର୍ଭାବ ।
ସେପଟେ ଶେଷ ଥର ପାଇଁ 2017 ମସିହା ମେ ମାସ 21 ତାରିଖରେ ଇମୁରାଲ ଟ୍ରାଫିକିଂ ଆକ୍ଟ 1956 ଆଧାରରେ କଠୋର ପଦକ୍ଷେପ ନେଇଥିଲା ପୋଲିସ । ଦେହ ବ୍ୟବସାୟ ବନ୍ଦ ପାଇଁ ଜନବସତିଠୁ 200ମିଟର ଏପରି କାରବାର ଚାଲୁଥିବା ନେଇ ଟ୍ବିନସିଟର 7ଟି ସ୍ଥାନକୁ ବେଶ୍ୟାଳୟ ଘୋଷଣା କରିଥିଲା ପୋଲିସ । ଯେଉଁଥିରେ ଥିଲା ଭୁବନେଶ୍ବରର ବାପୁଜୀନଗରର ଜନତ ପାଲେସ, ନିର୍ମଳ ପାଲେସ ସହ ପୁରୁଣା ଷ୍ଟେସନ ନିକଟସ୍ଥ ଖୁସୁବ ବିୟୁଟିପାର୍ଲର,ୱାନଷ୍ଟାର ବିୟୁଟିପାର୍ଲର ଓ ଚନ୍ଦ୍ରଶେଖରପୁରର ମୈତ୍ରି ଗେଷ୍ଟ ହାଉସ । ଯାହାକୁ ବର୍ଷେ ପାଇଁ ସିଲ କରିଥିଲା ପୋଲିସ ।
ହେଲେ ତା ପରଠୁ ଅନେକଥର ଅନେକ ସ୍ଥାନରୁ ସେକ୍ସ ରାକେଟ ଧରାପଡୁଥିଲେ ମଧ୍ୟ ଏନେଇ କୌଣସି କଠୋର ପଦକ୍ଷେପ ନେଉନି କମିସନରେଟ ପୋଲିସ ।
ତେବେ ପୋଲିସର ଦୁର୍ବଳ ମନୋଭାବ ଓ ବଡବଡିଆ ଲିଙ୍କ ଯୋଗୁଁ ଅନେକ ରାକେଟର ଚେର ସାମ୍ନାକୁ ଆସିପାରୁନାହିଁ । ଫଳରେ ଏହା ପଛର ରାଣୀ ମହୁମାଛି ବା କିଙ୍ଗପିନ ସହଜରେ ପୋଲିସ ସ୍କାନରରୁ ଖସିଯାଇ ନିରୀହ ଯୁବତୀ ଓ ନାବାଳିକାଙ୍କୁ ଏହି କାମରେ ନିୟୋଜିତ କରୁଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ