ଭୁବନେଶ୍ବର: ଆସନ୍ତା ଗୁରୁବାର ଦିନ ମହାଶିବରାତ୍ରି । ରାଜଧାନୀରେ ଜାଗର ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ସେବାୟତଙ୍କ କୋଭିଡ ଟେଷ୍ଟ । ମନ୍ଦିର ଭିତରେ ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ବିଏମସି ପକ୍ଷରୁ ତିନି ଦିନ ଧରି ଏହି ଟେଷ୍ଟ ଚାଲିବ । କୌଣସି ସେବାୟତ ପଜିଟିଭ ଚିହ୍ନଟ ହେଲେ ତାଙ୍କୁ ସେବାରୁ ନିବୃତ୍ତ କରାଯିବ । ଅନ୍ୟପକ୍ଷେ ଏସଆରସି ମଧ୍ୟ ଜାଗର ଯାତ୍ରାରେ କଟକଣା ଲଗାଇ ଜିଲ୍ଲାପାଳ ଓ ମୁନିସିପାଲ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରେ ଭକ୍ତଙ୍କ ପାଇଁ ମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିର ବାହାରୁ 200 ମିଟର ଦୂରତା ଯାଏ ବ୍ୟାରିକେଡ ବ୍ୟବସ୍ଥା ରହିଛି । କୋଭିଡ କଟକଣା ମାନି ଭକ୍ତମାନେ କିଭଳି ଦର୍ଶନ କରିବେ, ସେନେଇ ମଧ୍ୟ ଗୁରୁତ୍ବାରୋପ କରାଯାଇଛି। ରାଜଧାନୀର ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନ କରାଯିବ । ଏନେଇ ପ୍ରାୟ 18ଟି ସ୍ଥାନରେ 50ଟି ସ୍ପ୍ରେୟର ମେସିନରେ ସିଞ୍ଚନ କରିଯିବ । ସେହିପରି ମନ୍ଦିର ଭିତରେ ଓ ବାହାରେ ସାନିଟାଇଜ ହେବ । କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ମଧ୍ୟକୁ ପ୍ରବେଶ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ ।
ସେପଟେ ଲିଙ୍ଗରାଜ କପିଲନାଥ ଭେଟଘାଟ ହେବାର ପରମ୍ପରା ରହିଛି । ଏଥିରେ ବାରମ୍ବାର ବ୍ୟତିକ୍ରମ ଘଟୁଥିବାରୁ ଅସହଯୋଗ କରିବାକୁ ବ୍ରାହ୍ମଣ ଓ ବଡୁ ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଦୀର୍ଘ ବର୍ଷ ହେବ ସେବାୟତଙ୍କ ଅଭିଯୋଗକୁ ବେଖାତିର କରୁଛନ୍ତି ପ୍ରଶାସନ । ବିଭିନ୍ନ ଦାବି ନେଇ ଜିଲ୍ଲାପାଳ, ଦେବତ୍ତୋର କମିଶନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପ୍ରଶାସନ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ