ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ବାମୀ ପାଇଁ ଗର୍ଭବତୀ ସ୍ତ୍ରୀ ହାରିଲା ଜୀବନ । ୭ ମାସର ଗର୍ଭବତୀ ଥିବା ସ୍ତ୍ରୀକୁ ସ୍ବାମୀ ଦେଉଥିଲା ମାନସିକ ଓ ଶାରିରୀକ ନିର୍ଯାତନା । ଯୌତୁକ ଦାବି କରି ଅଧ୍ୟାପିକା ସ୍ତ୍ରୀ ଉପରେ ପକାଉଥିଲା ମାନସିକ ଚାପ । ଯାହାକୁ ସହି ନପାରି ଶେଷରେ ଜୀବନ ହାରିଥିଲେ ରାଜଧାନୀର ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରା ।
ରାଜଲକ୍ଷ୍ମୀ କଳାହାଣ୍ଡିର ପ୍ରଗତି କଲେଜର ଥିଲେ ଗଣିତ ଅଧ୍ୟାପିକା । ତେବେ ରାଜଲକ୍ଷ୍ମୀଙ୍କ ମୃତ୍ୟୁପାଇଁ ସ୍ବାମୀ ଦାୟୀ ବୋଲି ଲିଙ୍ଗରାଜ ଥାନାରେ ଅଧ୍ୟାପିକାଙ୍କ ମା ଅଭିଯୋଗ କରିବା ପରେ ଇଂଜିନିୟର ସ୍ବାମି ପ୍ରଦୀପ୍ତ ପଲେଇକୁ ଗିରଫ କରିଛି ପୋଲିସ । ତେବେ ତାଙ୍କ ଘର ବଡ଼ମ୍ବା ଥାନା ଚଣ୍ଡୀ ମଙ୍ଗଳ ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ୧ ବର୍ଷ ପୁର୍ବରୂ ବିବାହ କରି ରାଜଧାନୀରେ ରହୁଥିଲେ ଦୁହେଁ । ଚାକିରି ନ ପାଇ ଏକ ଧୁପକାଠୀ ବ୍ୟବସାୟ କରୁଥିଲେ ସ୍ବାମୀ । ଟଙ୍କା ପାଇଁ ଅନେକ ସମୟରେ ଚାପ ପକାଉଥିଲେ।
ତେବେ ବୁଧବାର ଦିନ ଅଧ୍ୟାପିକା ଜଣଙ୍କ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ତାଙ୍କ ସ୍ବାମୀ ଓଢ଼ଣି କାଟି ତୁରନ୍ତ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏନେଇ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳର ଯାଞ୍ଚ କରି ମୋବାଇଲରୁ କିଛି ତଥ୍ୟ ସଂଗ୍ରହ କରିଛି । ଅନ୍ୟପଟେ ସ୍ବାମୀକୁ କୋର୍ଟ ଚାଲାଣ କରିଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ