ଭୁବନେଶ୍ବର: ଜାରି ରହିଛି ରାଜ୍ୟ କଂଗ୍ରେସରେ ଗୋଷ୍ଠୀ ବିବାଦ। ରବିବାର ନିରଞ୍ଜନଙ୍କ ଗୋଷ୍ଠୀ ଏକାଠି ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ ପିସିସି ସଭାପତି। ସେ କହିଛନ୍ତି, କିଛି ସପକ୍ଷବାଦୀ ଓ ବିପକ୍ଷବାଦୀ ନାହାଁନ୍ତି। ସବୁ କଂଗ୍ରେସ ଲୋକ। ଦଳୀୟ ବିଧାୟକ ମହମ୍ମଦ ମୋକିମ ପିସିସି ସଭାପତି ହେବା ନେଇ ମଧ୍ୟ ନିଜର ମତ ରଖିଛନ୍ତି ସେ ।
ସେପଟେ ପରବର୍ତ୍ତୀ ପିସିସ ସଭାପତି ଦୌଡରେ ଥିବା ମୋକିମଙ୍କୁ ନେଇ ସେ କହିଛନ୍ତି, ‘‘ମୋକିମଙ୍କ ସହ ମୋର ମନାନ୍ତର ନାହିଁ, ମୁଁ ତାଙ୍କୁ ଶ୍ରଦ୍ଧା କରେ। ମୋକିମ ପିସିସି ସଭାପତି ପାଇଁ ଯୋଗ୍ୟ ବ୍ୟକ୍ତି। ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଲକ୍ଷ୍ୟ ଅଛି। ତେଣୁ ଯଦି କେହି ନିଜ ଲକ୍ଷ୍ୟ ଚରିତାର୍ଥ କରିବା ପାଇଁ ଉଦ୍ୟମ କରେ, ମୁଁ କାହିଁକି ଖରାପ ଭାବିବି। ଭାଇଚାରା ସୃଷ୍ଟି ହେଲେ ଦଳ ମଜବୁତ ହୋଇ ପାରିବ।’’
ଏହାସହ ନିରଞ୍ଜନ କହିଛନ୍ତି ଯେ, ଯେଉଁଥିରେ ଦଳର କ୍ଷତି ହେବ ସେଭଳି ମାର୍ଗ ଆପଣେଇବା ଉଚିତ ନୁହେଁ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବହୁତ ସହଜ, କିନ୍ତୁ ଏହା ଦଳୀୟ ବିବାଦର ସମାଧାନ ନୁହେଁ। ସମସ୍ତେ ନିଜ ଭୁଲ ଅନୁସନ୍ଧାନ କରି ଭବିଷ୍ୟତ ପାଇଁ କାମ କରିବା ଉଚିତ। ଏଭଳି ପରିସ୍ଥିତିରେ କଂଗ୍ରେସକୁ ମଜବୁତ କରିବା ବୋଲି କହିଛନ୍ତି ପିସିସି ସଭାପତି।
ସେପଟେ କଂଗ୍ରେସର ଭିତିରି କନ୍ଦଳକୁ ନେଇ ବରିଷ୍ଠ ନେତା ଅନନ୍ତ ସେଠୀ ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି ଯେ ସପକ୍ଷବାଦୀ ହୁଅନ୍ତୁ କି ବିପକ୍ଷବାଦୀ, ଯିଏ ବି ଅଣଆନୁଷ୍ଠାନିକ ଭାବେ ଦଳୀୟ ବୈଠକର ଆୟୋଜନ କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ