ଭୁବନେଶ୍ବର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ହାଉସିବୋର୍ଡ କଲୋନୀରେ ସ୍ତ୍ରୀ ଓ ଶାଳିକୁ ହତ୍ୟା ଘଟଣାରେ ଆସିଲା ନୂଆ ଟ୍ବିଷ୍ଟ । ସନ୍ତାନ ହେଉନଥିବାରୁ ପତ୍ନୀ ଓ ଶାଳୀଙ୍କ ଠାରୁ ନିର୍ଯାତନା ପାଉଥିଲେ ସ୍ବାମୀ । ଅନେକ ସମୟରେ ପତ୍ନୀ ଗାଳିଗୁଲଜ କରିବା ସହ ମାନସିକ ନିର୍ଯାତନା ଦେଉଥିଲେ । ଏ ନେଇ ସେ ପତ୍ନୀ ସହ ଶାଳିକୁ ମଧ୍ୟ ହତ୍ୟା କରିଛି ବୋଲି ହତ୍ୟାକାରୀ ବିଜୟ ସେଠୀ ପୋଲିସ ଆଗରେ ସ୍ବୀକାର କରିଛି । ଏଥିସହ ହତ୍ୟାକାଣ୍ଡ ଘଟାଇଥିବା ସ୍ଥାନରେ ଏକ ହାତଲେଖା ଚିଠି ଛାଡି ଯାଇଥିବା ପୋଲିସ କହିଛି ।
ତେବେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ହତ୍ୟାକାରୀ ସ୍ବାମୀ ମୃତଦେହକୁ ତାଲା ପକାଇ ବାହାରେ ବୁଲୁଥିବା ବେଳେ କାହିଁକି ଏପରି ହାତଲେଖା ଚିଠି ଲେଖି ନିଜକୁ ଦାୟୀ ବୋଲି ଦର୍ଶାଉଛି । ଯଦି ନିଜେ ହତ୍ୟା କରିଛି ବୋଲି ମାନୁଛି ତେବେ ପୋଲିସ ପାଖରେ କାହିଁକି ଆତ୍ମସମର୍ପଣ କରିନଥିଲା ? ବିନା ହ୍ୟାଣ୍ଡ ରାଇଟ ବ୍ୟୁରୋର ସ୍ପଷ୍ଟୀକରଣ ବିନା ହତ୍ୟାର କାରଣ ସମ୍ପର୍କରେ ପୋଲିସ କିପରି ଜାଣିବାକୁ ପାଇଲା ? ସେହି ଚିଠି ହତ୍ୟାକାରୀର ବୋଲି ପୋଲିସ କିପରି ସ୍ପଷ୍ଟ ହେଲା ? ଏପରି କିଛି ଗୁରୁତ୍ବପୂର୍ଣ୍ଣ ଦିଗ ସହିତ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି ।
ଏହା ବି ପଢନ୍ତୁ- ରାଜଧାନୀରେ ଡବଲ ମର୍ଡର, ନିଖୋଜ ରିପୋର୍ଟ ସତ୍ତ୍ବେ ବି ଶୁଣିଲାନି ପୋଲିସ !
ପୋଲିସ ପାଖରେ ଦୁଇଦିନ ଧରି ନିଖୋଜଙ୍କୁ ଖୋଜିବା ପାଇଁ ରିପୋର୍ଟ ହୋଇଥିଲା । ଅଥଚ ପୋଲିସ ଖୋଜିବା ପାଇଁ କୌଣସି ପଦକ୍ଷେପ ନେଇନଥିଲା । ବରଂ ପରିବାର ଲୋକଙ୍କୁ ରବିବାର କହି ଫେରାଇ ଦେଇଥିଲା ଏବଂ ମିଳିଲେ ଖବର ଦେବ ବୋଲି କହିଥିଲା । ତମାମ ଘଟଣା ଦେଖିଲେ ପୋଲିସର ତଦନ୍ତ ପ୍ରକ୍ରିୟା ଏବେ ପ୍ରଶ୍ନ ଘେରକୁ ଆସିଛି ।
ମୃତକ ହେଲେ ଶାଳୀ ସରସ୍ବତୀ ସେଠୀ ଓ ସ୍ତ୍ରୀ ଗାୟତ୍ରୀ ସେଠୀ । ପୋଲିସ ଅଭିଯୁକ୍ତ ସ୍ବାମୀ ତଥା ଭିଣୋଇ ବିଜୟ ସେଠୀକୁ ଅଟକ ରଖି ପଚରାଉଚରା କରୁଛି । ହାଉସିଂ ବୋର୍ଡ କଲୋନୀର ଘର ନମ୍ବର ews23/2ରୁ ପୋଲିସ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତ ହତ୍ୟା ପରେ ଘର ସଫା କରି ସବୁ ପ୍ରମାଣ ନଷ୍ଟ କରିଦେଇଥିବାରୁ ଘଟଣାସ୍ଥଳରୁ ସାଇଣ୍ଟଫିକ ଟିମ୍ କୋଣସି ପ୍ରମାଣ ପାଇନାହିଁ । ଶନିବାର ନିଖୋଜ ରିପୋର୍ଟ ପାଇବ ପରେ ମଧ୍ୟ ପୋଲିସ ନିଖୋଜଙ୍କୁ ଖୋଜିବା ପରିବର୍ତ୍ତେ ରବିବାର ଥିବାରୁ ଅଫିସ ବନ୍ଦ ରହିଛି, ସୋମବାର ଦେଖିବୁ କହିବା ସହ ପରିବାର ଲୋକଙ୍କୁ ଖୋଜିବାକୁ କହି ଫେରାଇ ଦେଇଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ