ଭୁବନେଶ୍ବର: ଯଥାଶୀଘ୍ର ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିଆସନ୍ତୁ ମାଓବାଦୀ । ଆଜି(ରବିବାର) କନ୍ଧମାଳରେ ମାଓ ସମୀକ୍ଷା ବୈଠକ ପରେ ପୋଲିସ୍ ଡିଜି ଅଭୟ ଏଭଳି କହିଛନ୍ତି ।
କନ୍ଧମାଳ ଓ କଳାହାଣ୍ଡିର ମାଓବାଦୀଙ୍କୁ ଯଥାଶୀଘ୍ର ଆତ୍ମ ସମର୍ପଣ କରିବାକୁ ପୋଲିସ ଡିଜି ଆହ୍ବାନ ଦେଇଛନ୍ତି । କନ୍ଧମାଳରେ ଓଡିଶା ପୋଲିସ ଓ ସିଆରପିଏଫ ମିଳିତ ଭାବେ କୁମ୍ବିଂ ଅପରେସନ ପାଇଁ ପୋଲିସ ଡିଜି ଅଭୟ ଏକ ବୈଠକ କରିଥିଲେ । ମାଓବାଦୀଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ଅପରେସନ କାର୍ଯ୍ୟକାରୀ ହେବ । ସେଥିପାଇଁ ଆଗକୁ ମିଳିତ ଅପରେସନରେ ବ୍ଲୁ ପ୍ରିଣ୍ଟ କରାଯାଇ ସକ୍ରିୟ ଥିବା ମାଓ କାର୍ଯ୍ୟକଳାପ ଦମନ କରାଯିବ ବୋଲି ଡିଜି କହିଛନ୍ତି ।
ସୂଚନା ଅନୁଯାୟୀ ପୋଲିସ ଡିଜି ଅଭୟ ବାଲିଗୁଡା ଖମନଖୋଲ ଠାରେ ଥିବା ସିଆରପିଏଫ୍ କ୍ୟାମ୍ପକୁ ଯାଇ ସିଆରପିଏଫ ଯବାନଙ୍କ ସହ ଆଲୋଚନା କରି ଜିଲ୍ଲା ଓ ରାଜ୍ୟରେ ମାଓ ମୁକାବିଲା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ । ଏହି ଗସ୍ତରେ ଡିଜିଙ୍କ ସହ ସିଆରପିଏଫ କେନ୍ଦ୍ରୀୟ ଜୋନର ସ୍ବତନ୍ତ୍ର ଡିଜି କୁଳଦୀପ ସିଂହ, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆରକେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ସିଆରପିଏଫ ଆଇଜି ଏସକେ ମହାନ୍ତି, ଏସପି ବିନୀତ ଅଗ୍ରଓ୍ବାଲ, ଆଇପିଏସ ନୀତିଶ ଓ୍ବାଦାନି ଓ ଅଭିନବ ଶଙ୍କର, 120 ବାଟାଲିଯନ କମାଣ୍ଡାଣ୍ଟ ପ୍ରମୋଦ ସାହୁ, 127 ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ