ଭୁବନେଶ୍ବର: ଆରମ୍ଭ ହେଲା ଯୁକ୍ତ ଦୁଇ ଆଡମିଶନ ପ୍ରକ୍ରିୟା । ଦିନ ୧୧ ଟା ରୁ www.samsodisha.gov.in ପୋର୍ଟାଲରେ ଫର୍ମ ଉପଲବ୍ଧ ହୋଇଛି । ଆଜି ଠାରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସେପ୍ଟେମ୍ବର ୧୩ ତାରିଖ ଦିନ ୧୧.୩୦ ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୪ ରୁ ୨୧ ତାରିଖ ମଧ୍ୟରେ ହେବ । ୨୭ ସେପ୍ଟେମ୍ବର ଅପରାହ୍ନ ୪ ଟା ରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ ଲିଷ୍ଟ ବା କଟ ଅଫ ମାର୍କ । ଏଥିପାଇଁ ୨୯ ସେପ୍ଟେମ୍ବରରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ହେବ ।
ଦୁଇଟି ପର୍ଯ୍ୟାୟ ଆଡ଼ମିଶନ ପରେ ବଳକା ସିଟ ତାଲିକା ଓ ସ୍ପଟ ଆଡ଼ମିଶନ ପାଇଁ ମେରିଟ ଲିଷ୍ଟ ଅକ୍ଟୋବର ୪ତାରିଖ ଦିନ ୨ଟା ରେ ପ୍ରକାଶ ପାଇବ । ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଆଗ୍ରହି ଥିବେ ସେମାନେ ଅକ୍ଟୋବର ୪ ଓ ୫ ତାରିଖରେ ସ୍ପଟ୍ ଆଡ଼ମିଶନ ପାଇଁ ପଞ୍ଜିକରଣ କରିପାରିବେ । ଅକ୍ଟୋବର ୫ ସନ୍ଧ୍ୟା ୫ ଟା ରେ ସ୍ପଟ୍ ଆଡ଼ମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀ ଅକ୍ଟୋବର ୭ ତାରିଖରେ ନାମ ଲେଖାଇବେ । ଅକ୍ଟୋବର ୮ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ନାମଲେଖା ପ୍ରକ୍ରିୟା ଶେଷ ହେବ । ଏଥର ପ୍ରାୟ ୫ ଲକ୍ଷ ଆଶାୟୀ ପ୍ରାର୍ଥୀ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ କରିପାରନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କୁ ନାମଲେଖା ସୁଯୋଗ ଦେବା ପାଇଁ ସିଟ୍ ବୃଦ୍ଧି କରାଯାଇଛି ।
ତେବେ ଆବେଦନ ତଥା ନାମଲେଖା ନେଇ କୈାଣସି ସମସ୍ୟା ପାଇଁ ସଂଯୋଗ ହେଲ୍ପଲାଇନ ନମ୍ୱର ଖୋଲାଯାଇଛି । ହେଲ୍ପଲାଇନ ନମ୍ବର ହେଉଛି 155335 / 18003456770 । ଏଠାରେ ୧୫ ଜଣ ଅଧିକାରୀ ଉପସ୍ଥିତ ରହି ଅଭିଯୋଗର ସମାଧାନ ଦିଗରେ ସାହାଯ୍ୟ କରିବେ । ପ୍ରଥମ ଥର ପାଇଁ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସୁବିଧା କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ