ଭୁବନେଶ୍ବର: ଶେଷରେ ବନ୍ଦ ହେଲା ପେଟ୍ରୋଲ ପମ୍ପ ଟାଙ୍କି । ପ୍ରବେଶ ପଥରେ ଲାଗିଲା ବାଡ । ହେଲେ ଟାଙ୍କି ବନ୍ଦ ପରେ କର୍ମଚାରୀଙ୍କ ମଧ୍ୟରେ ହାହାକାର । କାରଣ ଲକଡାଉନ ପାଇଁ 6 ମାସର ଦରମା ମିଳିନି । ମାଲିକ କହିଥିଲେ, ଏହି ମାସରେ ମିଳିବ ଏରିୟର । ହେଲେ ମାସ ଆରମ୍ଭରୁ ଘଟିଲା ଅଘଟଣ । ଗ୍ୟାସ ଟାଙ୍କି ଫାଟି ଅନେକ ଗୁରୁତର ହେବା ସହ ଜୀବନ ଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି । ଫଳରେ ଏବେ ଆଉ ଧରା ଛୁଆଁ ଦେଉନାହାଁନ୍ତି ପେଟ୍ରୋଲ ପମ୍ପର ମାଲିକ କିମ୍ବା କର୍ମାନୀ କର୍ତ୍ତୃପକ୍ଷ । ଫଳରେ କେମିତି ଗୁଜୁରାଣ ମେଣ୍ଟାଇବେ ତାକୁ ନେଇ ଚିନ୍ତାରେ ପେଟ୍ରୋଲ ପମ୍ପ କର୍ମଚାରୀ ।
ସେପଟେ ଏତେ ବଡ ବିସ୍ଫୋରଣ ପରେ ସରକାରୀ ବାବୁ ଚୁପ । ଘଟଣାସ୍ଥଳରେ ନାହାଁନ୍ତି କମ୍ପାନୀ କର୍ତ୍ତପକ୍ଷ କି ପେଟ୍ରୋଲ ପମ୍ପ ମାଲିକ । କେତେ ଜଣଙ୍କ ଜୀବନ ଯାଇଛି ସେନେଇ ମଧ୍ୟ ରିପୋର୍ଟ ହୋଇନି । କାହାର ଅବହେଳା ପାଇଁ ଅଘଟଣ ଘଟିଛି , ସାଇଟ କଣ୍ଟ୍ରାକ୍ଟର ନା ମାଲିକ ନା କମ୍ପାନୀ କର୍ତ୍ତୃପକ୍ଷ । ତଦନ୍ତ ଆଳରେ ମିଡିଆ ନଜରରୁ ବର୍ତ୍ତିବାକୁ ଚେଷ୍ଟା କରୁଛି ପୋଲିସ । ଏଠାରେ ରାଜନୈତିକ ଦଳର ଦେଖାମିଳୁଛି ନା ଘଟଣା ପାଇଁ କାହା ବିରୋଧ କାର୍ଯ୍ୟାନୁଷ୍ଠାନ ଦାବି ।ଏପରି ଭୟାନକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ସତ୍ତ୍ବେ ଯେମିତି କାହାକୁ ଫରକ ପଡୁନି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ