ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ହୋଇଛି ଚରମ ଅବହେଳା । ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି ଅନେକ । ହେଲେ ଘଟଣାରେ ଏଯାଏଁ କାହାରିକୁ ହୋଇନାହିଁ ଚିହ୍ନଟ। ୩୦୦ ମିଟର ଭିତରେ ଅନେକ ବସ୍ତି ଓ ଉଠା ଦୋକାନି ହୋଇଛନ୍ତି ପ୍ରଭାବିତ। ଘଟଣାରେ କାହାର ମୃତ୍ୟୁ ହୋଇଛି ଓ କାହାରିକୁ ଏଯାବତ ହୋଇନାହିଁ ଚିହ୍ନଟ । ସିସିଟିଭି ଓ କମିସନରେଟ ପୋଲିସର ତଦନ୍ତ ସତ୍ତ୍ୱେ ଘଟଣାର ୧୦ଦିନ ପରେ କିଛି ମିଳୁନି ସୁରାକ । ଯାହାକୁ ନେଇ ଲୋହିଆ ଏକାଡେମିରେ ପ୍ରେସମିଟ ଜରିଆରେ ଘଟଣାର ଜୁଡିସିଆଲ ତଦନ୍ତ ଦାବି କରିଛନ୍ତି ଅଲ ଇଣ୍ଡିଆ ଫରୱର୍ଡ଼ ବ୍ଲକ।
ଏନେଇ ସହାୟତା ରାଶି ଵଢାଇବା ସହ ତୁରନ୍ତ ଏହି ଘଟଣାର ଦୋଷୀଙ୍କ ଗିରଫ ପାଇଁ ଦାବି କରିଛନ୍ତି । ଏଥି ସହ କମ୍ପାନୀ କର୍ତ୍ତୁପକ୍ଷ ଷ୍ଟାଣ୍ଡାର୍ଡ଼ ଅପରେଟିଂ ନର୍ମ ଉଲଙ୍ଘନ କରିଥିବା ଅଭିଯୋଗ ବାଢିଛନ୍ତି । ଅକ୍ଟୋବର 7 ତାରିଖ ଭୁବନେଶ୍ବର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଘଟଣାରେ ଜଣେ ପ୍ରାଣ ହରାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣେ ନିକୋଜ ରହିଛନ୍ତି ।
ସେପଟେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ 8 ଲକ୍ଷ, ଗୁରୁତରଙ୍କୁ 4 ଲକ୍ଷ , ଆହତଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଆନ ଅଏଲ ଏହି ସହାୟତା ରାଶି ଘୋଷଣା କରିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରବନ୍ଧକ ଶ୍ରୀନିବାସ ପାତ୍ର।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ