ଭୁବନେଶ୍ବର: ରାଜ୍ୟରେ ପ୍ରତ୍ୟେକ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେପଟେ ପଶ୍ଚିମବଙ୍ଗ ଫେରନ୍ତା ସରକାରଙ୍କ ଚିନ୍ତା ବଢାଇଛି । ଏଥିପାଇଁ ଯେଉଁମାନେ ବି ପଶ୍ଚିମବଙ୍ଗରୁ ଫେରିଛନ୍ତି ସେମାନେ ନିଜର ତଥ୍ୟ ନ ଲୁଚାଇ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଅପିଲ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଏହାସହ ଟ୍ବିଟରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ସ୍ବ ଇଚ୍ଛାରେ ପଶ୍ଚିମବଙ୍ଗ ଫେରନ୍ତା ପରୀକ୍ଷଣ ପାଇଁ ଆସିବା ଦରକାର । ସେମାନେ ସୁସ୍ଥ ଦେଖାଯାଇପାରନ୍ତି କିନ୍ତୁ ପର ମୂହୂର୍ତ୍ତରେ କୋରୋନା ଆକ୍ରାନ୍ତ ହୋଇପାରନ୍ତି । ଯେଉଁମାନେ ପରେ ସଂକ୍ରମଣ ବ୍ୟାପିବାରେ ଗୋଟିଏ ଗୋଟିଏ କାରଣ ପାଲଟିଥାନ୍ତି ।
ଏହି କୋରୋନା ଟେଷ୍ଟ ନିଃଶୁଳ୍କ ଅଟେ । ସେଥିପାଇଁ ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଏହା ପରାମର୍ଶ ଦିଆଯାଉଛି ଯେ ସେମାନେ ସ୍ଥାନୀୟ ବିଡିଓ, ତହସିଲଦାର, କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ନିଜକୁ ସଙ୍ଗରୋଧରେ ରଖନ୍ତୁ ।
ତେବେ ଏହାଛଡା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା ଟ୍ବିଟ କରି ସୂଚନା ଦେଇଛି ଯେ 24 ଘଣ୍ଟା 104 ହେଲ୍ପ ଲାଇନ ନଂ ଜାରି ରହିଛି । ଯଦି କୌଣସି ବ୍ୟକ୍ତି ଫ୍ଲୁ ଜନିତ ଲକ୍ଷଣ ଅନୁଭବ କରୁଛନ୍ତି ତେବେ ସେମାନେ 104 ରେ ଯୋଗାଯୋଗ କରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ନେଇପାରିବେ ।
ଏଠାରେ ସୂଚନା ଥାଉ ଯେ, ରାଜ୍ୟରେ ମୋଟ ଆକ୍ରାନ୍ତ 143 ହୋଇଥିବା ବେଳେ 41ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 101 ଆକ୍ରାନ୍ତଙ୍କ ସଂଖ୍ୟା ସକ୍ରିୟ ହୋଇଛି ।
ସୌଜନ୍ୟ@ H&FW