ଭୁବନେଶ୍ବର: ଜଙ୍ଗଲରେ କିପରି ଅଗ୍ନିକାଣ୍ଡକୁ ରୋକାଯାଇ ପାରିବ, ସେନେଇ ପ୍ରତିକ୍ରିୟା ରଖିଲେ ବନ ବିଭାଗର ମୁଖ୍ୟ ସଂରକ୍ଷକ (PCCF) ଶିଶିର କୁମାର । କିଭଳି ଭାବରେ ଜଙ୍ଗଲରେ ନିଆଁ ନ ଲାଗିବ ସେନେଇ ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ସମସ୍ତ ବର୍ଗର ଲୋକଙ୍କୁ ନେଇ କାର୍ଯ୍ୟ କରାଯିବ । ବର୍ତ୍ତମାନ ସୁଦ୍ଧା 18 ହଜାର 800 ଫରେଷ୍ଟ ଫାୟାର ଆଲର୍ଟ ମିଳିଛି । ଏହାକୁ କିପରି କମାଯାଇ ପାରିବା, ସେନେଇ ପଦକ୍ଷେପ ନିଆଯାଉଛି । ଏନେଇ ଡିଏଫଓମାନଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ, ଗତବର୍ଷ ଫେବୁଆରୀ ଠାରୁ ଏପ୍ରିଲ ସୁଦ୍ଧା ପାଖାପାଖି 47 ହଜାର ଜଙ୍ଗଲ ଅଞ୍ଚଳରେ ନିଆଁ ଆଲର୍ଟ ମିଳିଥିଲା । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 18 ହଜାର 800 ଫରେଷ୍ଟ ଫାୟାର ଆଲର୍ଟ ମିଳିଛି । ଏଥିରେ ବହୁତ ଜନସାଧାରଣଙ୍କର ସହଯୋଗ ମିଳିଛି । ଏହାସହ ବନ ବିଭାଗର ମଧ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । 213 ଜଣ ଫରେଷ୍ଟ ସ୍କ୍ୱାର୍ଡ଼ ରଖାଯାଇଥିଲା । ଚଳିତ ବର୍ଷ 280 ସ୍କ୍ୱାର୍ଡ଼ ରଖାଯାଇଛି । ଯେଉଁଥିରେ ସାଢ଼େ 3 ହଜାରରୁ ଅଧିକ ସ୍ଥାନୀୟ ଯୁବକଙ୍କୁ ରଖାଯାଇଛି । ଏହାସହ 613 ରୁ ଫରେଷ୍ଟ ବ୍ଲୋର ସମସ୍ତ ଡିଭିଜନମାନଙ୍କୁ ଦିଆଯାଇଛି । ଯେଉଁ ଜଙ୍ଗଲ ଅଞ୍ଚଳରେ ବାରମ୍ବାର ନିଆଁ ଲାଗୁଛି ସେହି ଅଞ୍ଚଳରେ ଥିବା ଲୋକଙ୍କୁ ସଚେତନ କରାଯାଉଛି ।
ରାଜ୍ୟରେ ଥିବା ଜଙ୍ଗଲରେ କାଠକୁ କାଠ ଘଷି ହୋଇ ନିଆଁ ଲାଗିବା ଘଟଣା ଦେଖିବାକୁ ମିଳେନାହିଁ । କିନ୍ତୁ 98 ପ୍ରତିଶତରୁ ଊର୍ଦ୍ଧ୍ବ ଜଙ୍ଗଲରେ ନିଆଁ ଲାଗିବା ମନୁଷ୍ୟକୃତ ଅଟେ । ଅନ୍ୟପଟେ ଯେହେତୁ ରାଜ୍ୟରେ ଜାନୁଆରୀରେ କିଛି ଅଂଶରେ ବର୍ଷା ହୋଇଛି ତେଣୁ ଅଧିକାଂଶ ସ୍ଥାନରେ ନିଆଁ ଲଗାଇବା ଦେଖାଯାଇନାହିଁ । ଯଦି କୌଣସି ଜଙ୍ଗଲରେ ନିଆଁ ଲାଗେ ତେବେ ଏନେଇ ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ।
ଅନ୍ୟପଟେ ନବନିର୍ବଚିତ ସରପଞ୍ଚମାନଙ୍କୁ ନେଇ ମଧ୍ୟ ଏଥିରେ ସାମିଲ କରାଯାଇଥିବା କହିଛନ୍ତି । ଜଙ୍ଗଲରେ ନିଆଁ ନ ଲଗାଇବା ସହ ଲୋକଙ୍କ ମନରେ ସଚେତନ କରାଇବା ନେଇ ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ବିଭାଗ ପକ୍ଷରୁ ସମସ୍ତ ଡିଏଫଓଙ୍କ ସହ ବୈଠକରେ ଆଲୋଚନା କରାଯାଇଛି ବୋଲି କହିଛନ୍ତି ପିସିସିଏଫ ଶିଶିର କୁମାର ରାଥୋ ।
ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ଜଙ୍ଗଲରେ ନିଆଁ ଲାଗିବା ପାଇଁ ଜନସାଧାରଣ ଦାୟୀ । ଲୋକଙ୍କ ଅସାବଧାନତାରୁ ଏପରି ହେଉଛି । ଏହାର ନିରାକରଣ ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇବା ଦରକାର । ଏହାଛଡା ଫାୟାର ଲାଇନ କରିବା ଦରକାର । ଯେପରି ଜଙ୍ଗଲ ନିଆଁ ଅନ୍ୟ କେଉଁଠି ନ ବ୍ୟାପିବ । ଜଙ୍ଗଲରେ ନିଆଁ ଲାଗିବାରେ ରାଜ୍ୟ ଦେଶରେ ପ୍ରଥମରେ ରହିଛି । ତେଣୁ ସଠିକ ଭାବେ ପଦକ୍ଷେପ ନେଲେ ଜଙ୍ଗଲରେ ନିଆଁ ଲାଗିବା କମ ହୋଇପାରିବ । ରାଜ୍ୟ ସରକାର ଯେଉଁ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ କରିଛନ୍ତି ତାହାକୁ ସୁଦୃଢ କରିବା ଆବଶ୍ୟର ବୋଲି କହିଛନ୍ତି ପରିବେଶବିତ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ