ଭୁବନେଶ୍ବର: ଆସନ୍ତା 23 ତାରିଖରେ ଯୁଗପୁରୁଷ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ ହେବାକୁ ଯାଉଥିବାରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ବର୍ଷବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିବେ । ଏହି କମିଟି ରାଜ୍ୟରୁ 25 ଜଣ ସଦସ୍ଯଙ୍କୁ ସାମିଲ କରିବା ପାଇଁ ମଙ୍ଗଳବାର ପିସିସି ସଭାପତି ନୀରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀକୁ ପାଳନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି ବୈଠକର ନେତୃତ୍ୟ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ 85 ଜଣ ସଦସ୍ଯଙ୍କୁ ସାମିଲ କରାଯାଉଥିବା ବେଳେ ଓଡିଶାରୁ ମାତ୍ର 3 ଜଣ ସଦସ୍ଯ ରହିଛନ୍ତି । ନେତାଜୀ ଓଡିଶାରେ ଜନ୍ମଗ୍ରହଣ କରିଥିବାରୁ ରାଜ୍ୟରୁ ସର୍ବନିମ୍ନ ଭାବରେ 25 ଜଣ ସଦସ୍ୟଙ୍କୁ ସାମିଲ କରିବା ପାଇଁ ପିସିସି ସଭାପତି ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ବୈଠକରେ ରାଜ୍ୟର ରାଜ୍ୟପାଳ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ସାମିଲ କରାଯାଇନାହିଁ ବୋଲି ପିସିସି ସଭାପତି ଚିଠିରେ ଉଲ୍ଲେଖ କରିଛନ୍ତି ।
ଆସନ୍ତା 23 ତାରିଖରୁ ଏହି ବୈଠକର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାରୁ ଜରୁରୀକାଳୀନ ନିଷ୍ପତ୍ତି ଭାବେ ରାଜ୍ୟର ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଆଜାଦ ହିନ୍ଦ ଫୌଜ ସହିତ ଜଡିତ ଥିବା ଐତିହାସିକ, ଲେଖକ, ସାମ୍ବାଦିକ, ବିଚାରପତି, ସ୍ବାଧୀନତା ସଂଗ୍ରାମୀ, ସ୍ବତନ୍ତ୍ର ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ପିସିସି ସଭାପତି କହିଥିବା କହିଛନ୍ତି । କଟକରେ ନେତାଜୀଙ୍କ ବାସଭବନ 'ଜାନକୀନାଥ ଭବନ'କୁ ରାଜ୍ୟ ସରକାର ନେତାଜୀ ସଂଗ୍ରହାଳୟରେ ପରିବର୍ତ୍ତନ କରିଥିଲେ । ତେବେ ଏହି ସଂଗ୍ରହାଳୟକୁ ସମ୍ପ୍ରସାରଣ କରିବା ପାଇଁ ସେ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ