ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ଶୋକବାର୍ତ୍ତାରେ କହିଛନ୍ତି ଜିମୁତ ବାବୁଙ୍କ ସଡକ ଦୁର୍ଘଟଣାରେ ପରଲୋକ ଖବର ଶୁଣି ମର୍ମାହିତ ଓ ଦୁଃଖିତ । ଜୀମୂତ ବାବୁଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଦୀର୍ଘଦିନରୁ ରହିଛି ।
ଓଡିଶା ସାମ୍ବାଦିକ ଜଗତରେ ଜୀମୂତ ବାବୁ ଜଣେ ଆଗଧାଡ଼ିର ସଚ୍ଚୋଟ ସାମ୍ବାଦିକ ଭାବେ ବେଶ ଜଣାଶୁଣା ଥିଲେ । ସେ ବିଭିନ୍ନ ଖବରକାଗଜରେ ସାମ୍ବାଦିକ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି । ସେ ଏକାଧାରରେ ଜଣେ ସାମ୍ବାଦିକ, ସୁସାହିତ୍ୟକ, ଓଡ଼ିଶା ରାଜନୀତି ସମୀକ୍ଷକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ।
ସେ ଓଡିଶା ରାଜନୀତି ସମ୍ପର୍କରେ ଅନେକ ଗୁଡିଏ ପୁସ୍ତକ ରଚନା କରିଛନ୍ତି । ଦରଦୀ ବ୍ୟକ୍ତି ଭାବେ ସବୁବେଳେ ପାଇଁ ସେ ସାମ୍ବାଦିକ ଭାଇମାନଙ୍କ ସୁଖ ଦୁଃଖର ସାଥି ଥିଲେ । ସ୍ବର୍ଗତଃ ମଙ୍ଗରାଜ ବାବୁଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି । ସ୍ବର୍ଗତଃ ଜିମୁତ ମଙ୍ଗରାଜଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଶକ୍ତି ଓ ସାହାସ ପ୍ରଦାନ କରନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଛନ୍ତି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ