ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ କଂଗ୍ରେସରେ ବଢୁଛି ଅସନ୍ତୋଷ । ଧୀରେ ଧୀରେ ଏହି ନିଆଁ ଏବେ କୁହୁଳିବାରେ ଲାଗିଛି । ବରିଷ୍ଠଙ୍କଠୁ ଆରମ୍ଭ କରି କନିଷ୍ଠ ସମସ୍ତେ ଏକଜୁଟ ହୋଇ ତାଙ୍କ ବିରୋଧରେ ବିଦ୍ରୋହ ପାଇଁ ଶକ୍ତି ଗୋଟାଉଛନ୍ତି। ଓଡିଶା କଂଗ୍ରେସର ଏହି ପାରିବାରିକ କଳିର ସମାଧାନ ପାଇଁ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କୁ ଭେଟିଛନ୍ତି ଦଳର ଅସନ୍ତୁଷ୍ଟ ଗୋଷ୍ଠୀ। ଏହା ଉପରେ ପ୍ରତିକ୍ରିୟାରେ ରଖି ସେ କହିଛନ୍ତି ଯେ, ମୁଁ ଯାହା କହିବା ତାହା ଦିଲ୍ଳୀରେ କହିବି।
ବର୍ତ୍ତମାନ ରାଜ୍ୟ କଂଗ୍ରେସର ସ୍ଥିତି ଅତି ଖରାପ। ଯାହାକୁ ଭାଷାରେ କହି ହେବ ନାହିଁ । ତେଣୁ କଂଗ୍ରେସ ଲୋକ ବ୍ୟତିବ୍ୟସ୍ତ ଓ ବ୍ୟଥିତ। ଦଳର ଏପରି ଅବସ୍ଥା କେବେ ଅତୀତରେ ଆସି ନଥିଲା, ଯାହା ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆସିଛି। ଆମର ବିଶ୍ବାସ କଂଗ୍ରେସର ଖରାପ ସମୟରେ ସେ ସ୍ପଷ୍ଟ ମତ ରଖିବେ। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବାକୁ ଦାବି କରି ଏକ ଗୋଷ୍ଠୀ ପୂର୍ବ ଯୋଜନା ମୁତାବକ ଏକ ପ୍ରସ୍ତାବ ପାରିତ କରିବା ପରେ ଦଳର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରୁଛନ୍ତି।
ସେହିପରି କଂଗ୍ରେସ ନେତା ନିକୁଞ୍ଜ ପଶାୟତ କହିଛନ୍ତି ଦଳର ଦୁଇ ବିଧାୟକ ତାରା ବାହିନୀପତି ଓ ସୁର ରାଉତରାୟଙ୍କ ହାଲକା ମନ୍ତବ୍ୟ ଯୋଗୁ ଦଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ତାରାଙ୍କୁ ପ୍ରଶ୍ନ, ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବାବେଳେ ସେ କାହା ପଇସାରେ ଦିଲ୍ଲୀ ଯାଇଥିଲେ । ଏହାସହ ଅତୀତରେ ବିଜେପିକୁ ଲମ୍ପ ମାରିଥିବା ତାରା କାହିଁକି ଦଳ ପରିବର୍ତ୍ତନ କରି କଂଗ୍ରେସ ଆସିଲେ।
କଂଗ୍ରେସ ପାଇଁ କାମ କରୁଥିବା ଯୁବକଙ୍କୁ କଂଗ୍ରେସର କହିବା ଠିକ୍ ନୁହେଁ । ବର୍ତ୍ତମାନ ନିରଞ୍ଜନ ବାବୁ ଏଭଳି ସ୍ତରକୁ ଆସିଗଲେଣି କି ପରୋକ୍ଷରେ କହୁଛନ୍ତି ନିଜେ ସଭାପତି ସ୍ଥିର କରିବେ ଓ ମୋକିମଙ୍କ ପାଇଁ ଲବି କରୁଛନ୍ତି। ତାଙ୍କର କହିବା ଅନୁସାରେ ଯିଏ ସଭାପତି ହେବାକୁ ଚାହୁଁଛ ମୋ ପାଖକୁ ଆସନ୍ତୁ । ତେଣୁ ଖୁବଶୀଘ୍ର ଦିଲ୍ଲୀ ଯାଇ ଏଆଇସିସିକୁ ଭେଟି କଂଗ୍ରେସର ସ୍ଥିତି ଜଣାଇବେ ବୋଲି ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଲେଙ୍କା କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ