ଭୁବନେଶ୍ବର: ମାର୍ଚ୍ଚ 5 ତାରିଖରେ ରାଜ୍ୟ ପାଳିବାକୁ ଯାଉଛି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ । ଏହା ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜନ କରାଯାଇଛି ବିଶାଳ ସାଇକେଲ ଶୋଭାଯାତ୍ରା । କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଯାତ୍ରାର ଆୟୋଜନ କରାଯିବ । ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ ହେବେ ।
ଏହା ସହ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ, ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ମାର୍ଚ୍ଚ ୫ ରୁ ଅପ୍ରେଲ ୧୭ ପର୍ଯ୍ୟନ୍ତ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯିବ ।
ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ