ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟରେ 11ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଜାରିରହିଛି । ଏଥିପାଇଁ ବିଭିନ୍ନ ସହର ସମେତ ରାଜ୍ୟ ବିଭିନ୍ନ ସ୍ଥାନରେ ଯାତାୟତ ବନ୍ଦ ରହିଛି । ହେଲେ ବାହାର ରାଜ୍ୟରୁ ଟ୍ରେନ ଯୋଗେ ଫେରୁଥିବା ପ୍ରବାସୀ ଓଡିଆମାନଙ୍କ ପାଇଁ କୌଣସି ଗାଡି ଉପଲବ୍ଧ ନଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ପ୍ରକାଶ କରିଛନ୍ତି ।
ଲକଡାଉନରେ ଅତ୍ୟାବଶ୍ୟକ ଗାଡି ଓ ଟ୍ରେନ ଚଳାଚଳ କରୁଛି । ଏହା ସହ ଟ୍ରେନରେ ଫେରୁଥିବା ପ୍ରବାସୀଙ୍କ ଘରକୁ ଫେରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଥିବା ସରକାର ପ୍ରକାଶ କରିଥିଲେ । କିନ୍ତୁ ବାସ୍ତବ ଚିତ୍ର ଅଲଗା ପ୍ରକାର ଦେଖିବାକୁ ମିଳିଛି ।
ପ୍ରବାସୀମାନେ ଟ୍ରେନରୁ ଓହ୍ଲାଇ ଘରକୁ ଯିବାକୁ କୌଣସି ଗାଡି ମିଳୁନାହିଁ । ଯାହାବି ମିଳୁଛି ସେମାନେ ଅଧିକ ପରିମାଣର ଭଡା ଯାତ୍ରୀଙ୍କୁ ମାଗୁଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫଳରେ ଯାତ୍ରୀମାନେ ଘଣ୍ଟାଘଣ୍ଟା ଧରି ଷ୍ଟେସନରେ ଅପେକ୍ଷା କରିବା ସହ ନିଜ ଅଞ୍ଚଳରୁ ଗାଡି ମଗାଇ ଫେରୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେମାନେ ସାମାଜିକ ଦୂରତା ରକ୍ଷାନକରି ଯାଉଛନ୍ତି । ଏଠାରେ ସରକାରଙ୍କ ଦାୟିତ୍ବହୀନତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ