ଭୁବନେଶ୍ବର: ଦେଶର ରାଜନୀତିରେ ସ୍ବଚ୍ଛତା ଆଣିବା ପାଇଁ ଜାରି ରହିଛି ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ । ଯାହା ଏବେ ତୃଣମୂଳ ସ୍ତରରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଜି ରାଜ୍ୟ ସରକାର ଆଇନର ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି । ଏହାଦ୍ବାରା ଓଡିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪, ଓଡିଶା ପଞ୍ଚାୟତ ସମିତି ଆଇନ ୧୯୫୯, ଓଡିଶା ଜିଲ୍ଲା ପରିଷଦ ଆଇନ ୧୯୯୧ର ସଂଶୋଧନ ହେବ ।
ଯଦ୍ବାରା ଏଣିକି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ମାନାଙ୍କନ ଦାଖଲ ବେଳେ ସତ୍ୟପାଠ ଦେବେ । ନିର୍ବାଚନ ଲଢୁଥିବା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲାର ପୁରା ତଥ୍ୟ ଦେବାକୁ ବାଧ୍ୟ ହେବେ । ଫଳରେ ସାଧାରଣ ଜନତା ତୃଣମୂଳ ସ୍ତରରୁ ନିଜର ଲୋକପ୍ରତିନିଧିଙ୍କ ସମ୍ପର୍କରେ ସୂଚନା ପାଇପାରିବେ ।
ଯଦି ଏହି ସଂଶୋଧିତ ଆଇନର କେଉଁଠି କୌଣସି ପ୍ରାର୍ଥୀ ଯଦି ଉଲ୍ଲଘଂନ କରନ୍ତି ବା ଦେଇଥିବା ସତ୍ୟପାଠର ଭୁଲ ପ୍ରାମାଣିତ ହୁଏ ପରବର୍ତ୍ତୀ ସମୟରେ ଓଡିଶା ଗ୍ରାମପଞ୍ଚାୟତ ଆଇନ ଅନୁସାରେ ୬ ମାସ ଜେଲ ଦଣ୍ଡ ସମେତ ଅର୍ଥ ଦଣ୍ଡ ଭୋଗିବାକୁ ପଡିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ