ଭୁବନେଶ୍ବର: ୨୦୨୨ ଫେବୃଆରୀରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ରାଜ୍ୟ ନିର୍ବାଚନ କସିଶନ ସରକାରଙ୍କୁ ଚିଠି ଲେଖିଛନ୍ତି । ହେଲେ ଏ ଦିଗରେ ସରକାର କାମ ଆଗେଇ ନଥିବା ଜଣାପଡିଛି । ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା କାମ ସରିନଥିବାରୁ ପୌର ନିର୍ବାଚନ ଅଟକି ରହିଛି । ଏ ଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ଠିକଣା ସମୟରେ ହେବ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ବିଜେଡି କହିଛି ନିୟମ ଅନୁସାରେ ସରକାର ନିର୍ବାଚନ କରିବେ । ଏପଟେ ସରକାର ପଞ୍ଚାୟତରାଜ ନିର୍ବାଚନକୁ ନେଇ ଟାଳଟୁଳ ନୀତି ଅବଲମ୍ବନ ନକରନ୍ତୁ ବୋଲି ବିଜେପି ଓ କଂଗ୍ରେସ କହିଛନ୍ତି ।
୨୦୨୨ ଫେବୃଆରୀରେ ପଞ୍ଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ ୫ବର୍ଷିଆ ଅବଧି ପୂରଣ ହେଉଛି । ୨୦୧୭ରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଫେବୃଆରୀ ୧୩, ୧୫, ୧୭, ୧୯, ୨୧ ତାରିଖରେ ହୋଇଥିଲା ନିର୍ବାଚନ । ରାଜ୍ୟରେ ପାଖାପାଖି ୨କୋଟି ୬୦ ଲକ୍ଷ ଭୋଟର ଭୋଟ ଦେଇଥିଲେ । ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ରାଜ୍ୟସରକାରଙ୍କୁ ରାଜ୍ୟ ନିର୍ବାଚନ କମିସନ ଚିଠି ଲେଖିଛନ୍ତି । ଗତ ମାର୍ଚ୍ଚ ମାସରେ ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସଂକ୍ରାନ୍ତରେ ଆବଶ୍ୟକୀୟ ପଦକ୍ଷେପ ପ୍ରକ୍ରିୟା ସାରିବାକୁ କମିସନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପଞ୍ଚାୟତରାଜ ବିଭାଗ ତରଫରୁ ଏନେଇ କମିସନଙ୍କୁ କୌଣସି ଉତ୍ତର ଦେଇନଥିବା ଜଣାପଡିଛି । ବର୍ତ୍ତମାନ ପଞ୍ଚାୟତରେ ୬୪ ପ୍ରତିଶତ ସଂରକ୍ଷଣ ରହିଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ପରିସ୍ଥିତିରେ ବି ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହି କାରଣ ଯୋଗୁଁ ଗତ ୨ ବର୍ଷରୁ ଅଧିକ ସମୟ ଧରି ପୌର ନିର୍ବାଚନ ହୋଇପାରୁନାହିଁ । ସରକାର ସଂରକ୍ଷଣ ଆଳରେ ପୌର ନିର୍ବାଚନକୁ ସ୍ଥଗିତ ରଖି ଲୋକପ୍ରତିନିଧି ବଦଳରେ ପ୍ରଶାସକଙ୍କ ମର୍ଜିରେ ପୌର ସଂସ୍ଥା ଚାଲିଥିବା କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି । ପୌର ସଂସ୍ଥା ଭଳି ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକ ସଂରକ୍ଷଣ ପାଇଁ ନିର୍ବାଚନ ସ୍ଥଗିତ ହେବନି ତ ଏ ନେଇ କଂଗ୍ରେସ ସନ୍ଦେହ କରିଛି ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ସରକାର ଭୟଭୀତ ହୋଇ ନିର୍ବାଚନ କରିବାକୁ ଚାହୁଁନାହାନ୍ତି । ପୂର୍ବରୁ ପୌର ନିର୍ବାଚନ ଗଡେଇ ଗଡେଇ ଚାଲିଛନ୍ତି । କହିଲେ ନିର୍ବାଚନ ହେବ । ୱାର୍ଡ଼ ରିଭାଇଜ ହେବ । ଏବେ କହିଲେଣି ରିଜୋଲ୍ୟୁସନ ହୋଇପାରିଲାନାହିଁ । ସେଥିପାଇଁ ବନ୍ଦ କରିଛନ୍ତି ପୌର ନିର୍ବାଚନ । ସେମିତି ରାଜ୍ୟ ସରକାର ଚାହୁଁଛନ୍ତି ଯେ ନିଜ ହାତରେ ପଞ୍ଚାୟତକୁ ରଖିବେ, ବ୍ଲକ ଓ ପୌରାଂଚଳ ଗୁଡିକୁ ରଖିବେ ଏବଂ ଅଫିସର ମାନଙ୍କ ଜରିଆରେ ଶାସନ କରିବେ । ବିକାଶ ମୂଳକ କାର୍ଯ୍ୟ ନାଁରେ ଅର୍ଥ ଆତ୍ମସାତ କରିବେ । କଂଗ୍ରେସ ସବୁବେଳେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଯେମିତି ପୌର ନିର୍ବାଚନ ହେଲାନି ସେମିତି ପଞ୍ଚାୟତ ନିର୍ବାଚନ ମଧ୍ୟ କରେଇଦେବେ ନାହିଁ ବିଜେଡ଼ି ସରକାର । ଭୟଭୀତ ଅଛନ୍ତି ଶାସକ ଦଳ । କରୋନାରେ ଅନେକ ଲୋକ ମରି ଯାଇଛନ୍ତି । ଏହାର ଜବାବ ଜନ ସାଧାରଣ ଦେବେ ।
ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଯେ, ପୌର ନିର୍ବାଚନ ସରକାର ନିଜ ଭୟ ପାଇଁ କରିନାହାନ୍ତି । ତେଣୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଯଦି ସେମିତି ସ୍ଥିତି ରାଜ୍ୟ ସରକାର ଦେଖିବେ । ତେବେ ପଞ୍ଚାୟତ ନିର୍ବାଚନ ମଧ୍ୟ ଆଗାମୀ 4 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ । ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନ ନିଜ ଦାୟୀତ୍ବ ନିର୍ବାହନ କରିଛନ୍ତି । କିନ୍ତୁ ଯେଉଁଭଳି ଭାବେ ଗ୍ରାମାଞ୍ଚଳରେ ଥିବା ଲୋକ ମାନଙ୍କ ସହ ରାଜ୍ୟ ସରକାର ଚଞ୍ଚକତା କରିଛନ୍ତି । ରାଜ୍ୟରେ ଭୟଙ୍କର ସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଛି । ଯାହାକି କେନ୍ଦ୍ରୀୟ ଟିମ ଆସି ଦେଖିକି ଗଲେ। ରାଜ୍ୟ ସରକାର ଓଡିଶାର ଗ୍ରାମା ଞ୍ଚଳ ଗୁଡିକୁ ବେସାହାରା କରି ଛାଡ଼ି ଦେଇଛନ୍ତି । ଏ ସବୁ ପ୍ରସଙ୍ଗରେ ରାଜ୍ୟ ସରକାର ଆଜି ବି ବ୍ୟାକଫୁଟରେ ଅଛନ୍ତି । ତଥାପି ଆଶା ଅଛି ରାଜ୍ୟ ସରକାର ଗଣତାନ୍ତ୍ରିକ ପଦ୍ଧତିକୁ ପାଳନ କରିବେ । କିନ୍ତୁ ପୌର ନିର୍ବାଚନ ହେବ ବୋଲି ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ତେଣୁ ପଞ୍ଚାୟତ ନିର୍ବାଚନ କ୍ଷେତ୍ରରେ ମଧ୍ୟ ସେମିତି ଟାଳଟୁଳ ନୀତି ନକରନ୍ତୁ। ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ବିଷ୍ଣୁ କହିଛନ୍ତି ।
ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ନିର୍ବାଚନ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା । ପୌର ହେଉ ବା ପଞ୍ଚାୟତ ନିର୍ବାଚନ ହେଉ । ସବୁ ନିର୍ବାଚନ ପାଇଁ ନିର୍ବାଚନ କମିଶନ ସିଡ୍ୟୁଲ ତିଆରି କରିବେ ଓ ରାଜ୍ୟ ସରକାର ପ୍ରସ୍ତୁତି କରିବେ । ଆଇନଗତ ପ୍ରକ୍ରିୟା ଥିବା କାରଣରୁ ଏ ସମ୍ପର୍କରେ ଯାହା ନିଷ୍ପତ୍ତି ହେବ, ତାହା ବିଧି ଅନୁସାରେ ହେବ । ବିରୋଧୀ ମାନେ କେତେ ପ୍ରସ୍ତୁତ ହୋଇ ଅଛନ୍ତି ସମସ୍ତଙ୍କୁ ଜଣାଅଛି । ସବୁ ନିର୍ବାଚନ ବେଳେ କୁହନ୍ତି ସରକାର ନିର୍ବାଚନ ଘୁଞ୍ଚାଉଛନ୍ତି । ଆଉ ଉପନିର୍ବାଚନରେ ଫଳ ଭୋଗନ୍ତି । ପୌର ନିର୍ବାଚନ ହେଉ ଆବା ପଞ୍ଚାୟତ ନିର୍ବାଚନ ହେଉ । ବିଜେଡ଼ି କୌଣସି ଥିରେ ପଛକୁ ଯାଇନାହିଁ । ଲୋକମତ ଓଡିଶାରେ କଣ, ଏହା କାହାର ବୁଝିବାକୁ ବାକି ନାହିଁ ।
ଅନ୍ୟପଟେ କୋଭିଡ଼ ମହାମାରୀ ଆଇନ ଲାଗୁ ରହିଥିବାରୁ ନିର୍ବାଚନ ହେବା ନେଇ ଆଶଙ୍କା ରହିଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସଂକ୍ରାନ୍ତ କାର୍ଯ୍ୟକ୍ରମ ହୋଇପାରିବ । ଏହି ପ୍ରକ୍ରିୟା ଲାଗି ପ୍ରାୟ 3ରୁ 4 ମାସ ସମୟ ଲାଗିବ । କୋଭିଡ଼ର ତୃତୀୟ ଲହରୀ ଆଶଙ୍କା ଥିବାରୁ ଏହି ନିର୍ବାଚନ ଆହୁରି ବିଳମ୍ବ ହେବ ବୋଲି ପୂର୍ବାନୁମାନ କରିଛନ୍ତି ସହଦେବ ।
ଭୁବନେଶ୍ବରୁର ଭବାନୀଶଙ୍କର ଦାସ, ଇଟିଭି ଭାରତ