ଭୁବନେଶ୍ବର/ରାଉରକେଲା: ଓଡିଆ ଜାତିର ସ୍ବତନ୍ତ୍ର ତଥା ଅନନ୍ଯ ପରିଚୟ ହେଉଛି ପଖାଳ । ବିଶ୍ବର କୋଣ ଅନୁକୋଣରେ ରହୁଥିବା ସବୁ ଓଡିଆଙ୍କ ପାଇଁ ଏହି ମାର୍ଚ୍ଚ ୨୦ ତାରିଖ ଏକ ସ୍ବତନ୍ତ୍ର ଦିନ । ଏହାର ପ୍ରମୁଖ ଅଭିପ୍ରାୟ ହେଉଛି, ଏହି ଦିନଟିକୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଏ ।
ଢୋକେ ତୋରାଣି, ମୁଠେ ପଖାଳ ପାଟିକୁ ନେଉ ନେଉ ଜଣେ ଓଡିଆ ଯେଉଁ ସ୍ବାଦ ଅନୁଭବ କରେ, ତାକୁ ସେ ଶବ୍ଦରେ ବ୍ଯକ୍ତ କରିପାରେନି । କିନ୍ତୁ ପେଟକୁ ଯେଉଁ ଶାନ୍ତି ଟିକିଏ ମିଳିଥାଏ ତାହା ତା’ର ଅନ୍ତରରୁ ବାରି ହୋଇପଡେ। ଦହି ମିଶା ତୋରାଣୀ ଚହଲିବା ପରି, ତା ନିଜ ଜାତିର ପରିଚୟ, ଏଇ ପଖାଳ ଭିତରେ ଚହଲି ଯାଏ । ସେ କୋଟିପତି ହେଉ କି କୁଡିଆରେ ରହୁଥିବା ଗରିବଟିଏ ପଖାଳ ପାଇଁ ସମସ୍ତଙ୍କ ଭୋକ ସମାନ ! ତେଣୁ ଓଡିଶାରେ ଏହି ମାର୍ଚ୍ଚ ୨୦ ତାରିଖ ଦିନଟି ବେଶ୍ ସ୍ବତନ୍ତ୍ର । ତେଣୁ ଏହି ଦିନଟିକୁ ପ୍ରତିଟି ସ୍ଥାନରେ ବହୁ ଆନନ୍ଦରେ ପାଳନ କରାଯାଏ ।
ଆଉ ଏଠୁ ବାଦ ପଡିନି ରାଜଧାନୀ ଭୁବନେଶ୍ବର । ଲୋକେ ଯେତେ ସ୍ମାର୍ଟ ହେଲେ ବି ନିଜର ପାରମ୍ପରିକ ଖାଦ୍ୟକୁ ଭୁଲି ନାହାଁନ୍ତି। ତେଣୁ ଏହାର ଝଲକ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ବରରେ । ଏହି ପଖାଳ ଦିବସକୁ ପାଳିବା ପାଇଁ ଘରଠାରୁ ଆରମ୍ଭ କରି ବାହାରେ ଥିବା ବଡ଼ ବଡ଼ ରେସ୍ତୋରାଁରେ ବି ବୁଧବାର ପଖାଳ ଖାଇବାକୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ତେବେ ବୁଧବାର ବିଭିନ୍ନ ହୋଟେଲମାନଙ୍କରେ ସବୁ ଦିନ ଠାରୁ ପଖାଳ ସାଙ୍ଗରେ ଦିଆଯାଉଥିବା ସାଇଡ ଆଇଟମକୁ ମଧ୍ୟ ବଢ଼ାଇ ଦିଆଯାଇଛି। ଖାସ୍ କରି ବୁଧବାର ପତ୍ର ପୋଡା ମାଛ ଏବଂ ଆଳୁ ଭର୍ତ୍ତାକୁ ସବୁ ହୋଟେଲମାନଙ୍କରେ ବେଶ ପ୍ରଧାନ୍ୟ ଦିଆଯାଇଛି ।
ସେହିପରି ବୁଧବାର ରାଉରକେଲାର ସେକ୍ଟର-13ରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଯାଇଛି । ତେବେ ଏହି ପଖାଳ ଦିବସ ସ୍ବଦେଶୀ ଜାଗରଣ ମଞ୍ଚ ତରଫରୁ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ ମହିଳାମାନେ ମଧ୍ୟ ଭାଗ ନେଇଥିଲେ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ ଓ ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ