ଭୁବନେଶ୍ବର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ(Permanent High Court Benches ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ । ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ସେପଟେ ଅଭିଯୋଗର ଜବାବ ରଖିଛି BJD ।
ବିରୋଧୀ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ରାଜ୍ୟ ସରକାର ବସେଇଥିଲେ ସିଆର ପାଲ୍ କମିଶନ । କମିଶନ ୨୦୧୪ ମାର୍ଚ୍ଚ ୩୧ ତାରିଖରୁ ତାଙ୍କର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ । ହେଲେ ରାଜ୍ୟ ସରକାର କମିଶନର ରିପୋର୍ଟକୁ ଶୀତଳ ଭଣ୍ଡାରରେ ରଖିଥିବା ଅଭିଯୋଗ କରିଛନ୍ତି ନିଶିକାନ୍ତ । ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ବିଭିନ୍ନ ସମୟରେ ହେଉଥିବା ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ସରକାର ଲୋକଙ୍କୁ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ନେଇ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆନ୍ଦୋଳନ ତୀବ୍ର ରୂପ ନେବା ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିବା ଓଡ଼ିଶା ସରକାରଙ୍କ ଅପାରଗତା ଓ ଆନ୍ତରିକତାକୁ ପଦାରେ ପକାଇଛି ।
ଦୀର୍ଘ ବର୍ଷ ହେଲା ଉକ୍ତ ପ୍ରସଙ୍ଗରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଟଣାଓଟରା ଲାଗିଛି । ଉଭୟ ସରକାର ଆଗକୁ ଆସୁନାହାନ୍ତି । ଉତ୍ତରଦାୟିତ୍ଵ ନେଉନାହାନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ଭୋଟ ରାଜନୀତିରେ ବ୍ୟସ୍ତ ଅଛନ୍ତି । କେନ୍ଦ୍ର ସରକାର ନିଜର ସମ୍ବିଧାନିକ ଦାୟିତ୍ବ ନିଅନ୍ତୁ । କଂଗ୍ରେସର ଅଭିଯୋଗର ଜବାବ ରଖିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।
ସେ କହିଛନ୍ତି, "ଏହା ଏକ ବିବାଦୀୟ ଘଟଣା । ଯେଉଁଠାରେ ଭିତ୍ତିଭୂମୀ ଅଛି, ସେଠାରେ କେନ୍ଦ୍ର ସରକାର ଚାହିଁଲେ ଜିଲ୍ଲା ନାଁ ଦେଇପାରିବେ । ମାତ୍ର କେନ୍ଦ୍ର ସରକାର ଜାଣିଶୁଣି ଜିଲ୍ଲା ନାଁ ଘୋଷଣା କରୁନାହାନ୍ତି । ରାଜ୍ୟକୁ ବିବାଦରେ ଫସେଇବାକୁ ଚାହୁଁଛି କେନ୍ଦ୍ର । ଯେଉଁ ଯେଉଁ ଜିଲ୍ଲାରେ ଭିତ୍ତିଭୂମୀ ରହିଛି ତାହାର ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ଦେଇଛନ୍ତି । ଯଦି ରାଜ୍ୟ ସରକାର ଗୋଟେ ଜିଲ୍ଲା ନାଁ ଦେବ । ତାହାର ଫାଇଦା ବିଜେପି ଶାସିତ କେନ୍ଦ୍ର ସରକାର ଉଠାଇବେ । ଲୋକଙ୍କୁ ମତେଇବାକୁ ଚେଷ୍ଟା କରିବେ ।"
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ