ଭୁବନେଶ୍ବର: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ମୁକାବିଲା ପାଇଁ ସରକାର କରିଛନ୍ତି ଦେଶବ୍ୟାପୀ ଲକଡାଉନ । ଆଉ ଏହି ଲକଡାଉନ ଯୋଗୁଁ ଠପ ହୋଇ ଯାଇଛି ଜନ ଜୀବନ । ପର୍ବ ପର୍ବାଣୀ, ଉତ୍ସବ ପାଳନ ବି ବନ୍ଦ । କାରଣ ସାମୁହିକ ଏକତ୍ରିତ ହେବାକୁ ମନା । କିନ୍ତୁ ଏସବୁ ଭିତରେ ଆରମ୍ଭ ହୋଇଛି ଡ୍ୟାନ୍ସ ଫେଷ୍ଟିଭାଲ । ଯାହାକି କୌଣସି ଷ୍ଟେଜ ସୋ କି କୌଣସି ମଣ୍ଡପରେ ନୁହେଁ ବରଂ ଅନଲାଇନ ପ୍ଲାଟଫର୍ମରେ । ଯାହାର ଘରେ ବସି ମଜା ନେଇପାରିବେ ଦର୍ଶକ । ଏଭଳି ଏକ ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ବର ଲାଶ୍ୟକଳା ଡ୍ୟାନ୍ସ ଭିଜନ ।
ଜମିବ ଆସର, କୋରୋନାକୁ ମାତ ଦେବେ କଳାକାର ଓଡ଼ିଶା ହେଉଛି ଏଭଳି ଏକ ରାଜ୍ୟ ଯେଉଁଠି ଦେଖିବାକୁ ମିଳେ କିଛି ସ୍ୱତନ୍ତ୍ର ନୃତ୍ୟ । ଯାହାକୁ ଦେଖିବା ଲାଗି ସମସ୍ତଙ୍କ ମନରେ ଥାଏ ଅନେକ ଆଗ୍ରହ । ତେବେ ଏହି ଆଗ୍ରହକୁ ଲକଡାଉନ ସମୟରେ ଅନଲାଇନ ପେଜ ଜରିଆରେ ପୂରଣ କରିଛନ୍ତି ଏମାନେ । ଘରେ ରହି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ସମ୍ବଲପୁରୀ ଓ ଓଡିଶୀ ଡ୍ୟାନ୍ସରମାନେ । ବିଶ୍ବ ମାତୃ ଦିବସ ଅବସରେ ହାପି ଫର ହୋପ ଜରିଆରେ ଏହା ଆରମ୍ଭ କରିଛନ୍ତି ଲାଶ୍ୟକଳା ମୁଖ୍ୟ ତଥା ଓଡିଶୀ ଡ୍ୟାନ୍ସର ଶାଶ୍ବତ ଯୋଶୀ। ଲକଡାଉନରେ ସମସ୍ତେ ଘରେ ଥିବା ବେଳେ ଅନଲାଇନରେ ଆରମ୍ଭ ହୋଇଥିବା ଏହି ପ୍ରଥମ ଡ୍ୟାନ୍ସ ଫେଷ୍ଟିଭାଲ ନୃତ୍ୟପ୍ରେମୀ ଓ କଳାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଯୋଗାଇଛି। ତେବେ ଡ୍ୟାନ୍ସ ପ୍ରତି ରୁଚି ରଖୁଥିବା ପିଲା ଓ ଦର୍ଶକ ଏହାର ବେସ ମଜା ଉଠାଇଛନ୍ତି। ଏପରିକି ଅନେକ ବିଦେଶୀ କଳାକାର ମଧ୍ୟ ଏହାକୁ ବେଶ ପ୍ରଶଂସା କରି ଅନଲାଇନ ଜରିଆରେ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି ।ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ