ଭୁବନେଶ୍ବର: ଦିନକୁ ଦିନ ବଢୁଛି ଓମିକ୍ରନ ଭୟ । ଦେଶ ପରେ ରାଜ୍ୟରେ ପଶିଛି ନୂଆ ଭାରିଆଣ୍ଟ । ଓଡିଶାରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ହଠାତ୍ BMC ପକ୍ଷରୁ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କାରଣ ହେଉଛି ଉକ୍ତ ଅଞ୍ଚଳରୁ ଆଟ୍ ରିସ୍କ ଦେଶରୁ ଫେରିଥିବା କିଛି ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜଧାନୀରେ ଓମିକ୍ରନ ସଂକ୍ରମଣକୁ ନେଇ ଆଶା ଆଶଙ୍କା ବଢିଯାଇଛି । ଗୋଟିଏ ପଟେ ଏ ଦିଗରେ BMC ସର୍ଭେଲାନ୍ସ ଜାରି ରଖିଥିବା ବେଳେ ଅନ୍ୟପଟେ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଅଞ୍ଚଳ ଢିଲା ପଡିଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର ବମିଖାଲ ଜୟଦୂର୍ଗା ନଗର ଅଞ୍ଚଳ ଓ ଓ୍ବାର୍ଡ ନମ୍ବର ୧୧ ଭିଏସଏସ ନଗରରେ ଥିବା ମୋଟ ତିନୋଟି କୋଠାରେ ବସବାସ କରୁଥିବା ଏକାଧିକ ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଭୁବନେଶ୍ବର ମହାନଗର ନିଗମ(BMC ) । ସେପଟେ ପୁଣି କିଛି ଦିନର ବ୍ୟବଧାନ ପରେ ରାଜଧାନୀକୁ କଣ୍ଟେନମେଣ୍ଟ ଫେରିବା ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରିକି ପୂର୍ବଭଳି କେବଳ କଣ୍ଟେନମେଣ୍ଟ ଜୋନ୍ ପୋଷ୍ଟର ମାରି ବିଏମସି ଚୁପ୍ ବସିପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦ୍ବିତୀୟ ଲହରର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଦ୍ରୁତ ସଂକ୍ରାମକ ଓମିକ୍ରନ କୌଣସି ବି ପ୍ରକାର ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ଏପରି ବେପରୁଆ ମନୋଭାବକୁ ସୁଧାରିବା ସହ ସଚେତନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।
ସୂଚନା ମୁତାବକ, ରାଜଧାନୀରେ କୋରୋନା ପଜିଟିଭ ଚିହ୍ନଟ ବିଦେଶ ଫେରନ୍ତା ରାଜ୍ୟରେ ପହଞ୍ଚିବ ପରେ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିଲା । ବିଦେଶ ଫେରନ୍ତାଙ୍କ ରିପୋର୍ଟ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ସହ ନମୁନା ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ରହିଛି । ଏପରିକି ସର୍ବସାଧାରଣ ଚଳପ୍ରଚଳ ଉପରେ କଟକଣା ଲାଗୁ କରିବା ସଙ୍ଗେ ସଙ୍ଗେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ ଦିଗରେ ବିଏମସି ସହଯୋଗ କରିବାକୁ ପୋଷ୍ଟର ମାରିଛି । ଏଥିସହ ସହରବାସୀଙ୍କୁ ସତର୍କ ରହିବା ସହ ସହଯୋଗ କରିବାକୁ କହିଛି ବିଏମସି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ