ଭୁବନେଶ୍ବର: ବାତ୍ୟା ଅସାନି(Cyclone Asani) ବର୍ତ୍ତମାନ ପଶ୍ଚିମ କେନ୍ଦ୍ର ବଙ୍ଗୋସାଗରରେରେ ରହିଛି । ବିଶାଖପାଟଣା ଓ କାକିନାଡ଼ାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବରେ ରହିଛି । କାକିନାଡ଼ାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଛି । ବାତ୍ୟା ପ୍ରଭାବରେ ବର୍ଷା ହେବ କିନ୍ତୁ ପବନ ହେବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଏସଆରସି(SRC) ପ୍ରଦୀପ କୁମାର ଜେନା ।
ଏସଆରସିଙ୍କ ସୂଚନା ଅନୁସାରେ, ଉତ୍ତର ପଶ୍ଚିମକୁ ଗତି କରି ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ ଆକଳନ କରୁଛି । ୧୨ ତାରିଖରେ ବିଶାଖାପାଟଣା ନିକଟରେ ପହଁଚିବା ବେଳକୁ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ । ଓଡ଼ିଶା ଉପକୂଳରେ ପହଞ୍ଚିବ ନାହିଁ । ଓଡ଼ିଶା ଉପରେ ପବନର ପ୍ରଭାବ ରହିବ ନାହିଁ । କିନ୍ତୁ ବର୍ଷା ପ୍ରଭାବ ରହିବ । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା ଆଦି ସ୍ଥାନରେ ବର୍ଷା ହେବ । ପରେ ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ ।
ମାଲକାନଗରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ କରାଯାଇଛି । ଜିଲ୍ଲାରେ ଓଡ୍ରାଫ ଟିମ ମୁତୟନ କରାଯାଇଛି । ୧୨ ଟି ଟିମ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂପୁର ଜିଲ୍ଲାରେ ମୁତୟନ କରାଯାଇଛି । ଏହି ସବୁ ଜିଲ୍ଲାରେ ଅଗ୍ନିଶମ ଟିମ ବି ମୁତୟନ କରାଯାଇଛି । ବିଦ୍ୟୁତ୍ ସରବରାହ ସମସ୍ୟା ହେଲେ ସଜାଡିବାକୁ ସତର୍କ କରାଯାଇଛି । ସ୍ଥିତି ଦେଖି ତଳିଆ ଅଞ୍ଚଳରୁ ସ୍ଥାନାନ୍ତରଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଥିବା ବେଳେ ସମସ୍ତେ ପ୍ରାୟ ଫେରି ଆସିଛନ୍ତି । କିଛି ସ୍ଥାନରେ ଏବେ ବି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିବା ବେଳେ ଡ଼ଙ୍ଗା ଭାସି ଯାଇଥିବା ଖବର ଆସିଛି । ତଦନ୍ତ ପରେ ସଠିକ ଭାବେ ଜଣାପଡିବ । ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ନମାନି ସମୁଦ୍ରକୁ ଯିବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଅନୁସାରେ କ୍ରିମିନାଲ ଆକ୍ସନ ବି ହୋଇପାରେ । ସମସ୍ତ ଦିଗକୁ ମତ୍ସ୍ୟ ସମ୍ପଦ ବିଭାଗ ସଚିବ ତଦାରଖ କରୁଛନ୍ତି ।
ଆଜି ସ୍ଥଳଭାଗ ଛୁଇଁବା ସମ୍ଭାବନା ଉପୁଜିବାରୁ ଜାତୀୟ କାର୍ଯ୍ୟକାରୀ କମିଟି (National executive committee) ବୈଠକ ଡାକିଥିଲେ କେନ୍ଦ୍ର ସ୍ଵରାଷ୍ଟ୍ର ବିଭାଗ ସଚିବ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଆନ୍ଧ୍ର ଓ ଓଡ଼ିଶାର ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ପକ୍ଷରୁ ପ୍ରସ୍ତୁତି ବାବଦରେ ଅବଗତ କରାଯିବା ସହ କିଛି ସହାୟତା ଆବଶ୍ୟକ ପଡ଼ିବନି ବୋଲି ଅବଗତ କରାଇଛୁ ବୋଲି ପ୍ରଦୀପ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ