ଭୁବନେଶ୍ବର: ଗୁଜୁରାଟ ଗସ୍ତରେ ରାଜ୍ୟ ବିଜେପି ଟିମ୍ । ଦଳୀୟ ତଥା ରାଜନୈତିକ ସାଙ୍ଗଠନିକ ସଂରଚନା ଓ କାର୍ଯ୍ୟଶୈଳୀ ସମ୍ପର୍କରେ ବିଶେଷ ଅନୁଧ୍ୟାନ ପାଇଁ ଓଡିଶା ପ୍ରଦେଶ ବିଜେପିର 9 ଜଣିଆ ନେତୃମଣ୍ଡଳୀ ଗୁଜୁରାଟ ଯାଇଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ ଅଧକ୍ଷ ସମୀର ମହାନ୍ତିଙ୍କ ଅନୁରୋଧକ୍ରମେ ରାଜ୍ୟ ନେତୃବୃନ୍ଦଙ୍କର ଏକ 9 ଜଣିଆ ଟିମ୍ ଆଜି ସକାଳେ ଭୁବନେଶ୍ବରରୁ ସୁରଟ ଯାତ୍ରା କରିଛନ୍ତି ।
ଏହି ଟିମ୍ ସେପ୍ଟେମ୍ବର 17, 18 ଓ 19 ତାରିଖ ଅର୍ଥାତ୍ 3 ଦିନ ଧରି ସୁରଟ ଠାରେ ଦଳୀୟ ସାଙ୍ଗଠନିକ ସ୍ଥିତି ଓ ବ୍ୟବସ୍ଥା, ସାଙ୍ଗଠନିକ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶେଷ ଅନୁଧ୍ୟାନ କରିବେ । ରାଜ୍ୟସ୍ତରୀୟ ଏହି ଟିମରେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରଜିତା ଷଡଙ୍ଗୀ, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ, ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ସାଧାରଣ ସମ୍ବାଦକ ସାରଦା ଶତପଥୀ, ପୂର୍ବତନ ସମ୍ପାଦକ ଅଶୋକ ମିଶ୍ର ଓ ବିଜେପି ଆଇଟି ବିଭାଗର ପ୍ରମୁଖ ସ୍ବୟଂ ପ୍ରକାଶ ବରାଳ ଅଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ