ଭୁବନେଶ୍ବର: ଫେବ୍ରୁଆରୀ 3 ତାରିଖରରୁ ରାଜ୍ୟରେ ଶୀତ ଲହରି ରହିବା ନେଇ ଆଶଙ୍କା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏହାକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ କମିଶନରମାନଙ୍କୁ SRCଙ୍କ କାର୍ଯ୍ୟାଳୟରୁ ଚିଠି କରାଯାଇଛି। ଶୀତ ଲହରି ଆଶଙ୍କା ରହିଥିବାରୁ ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କମ୍ୟୁନିଟି ହଲ ଖୋଲା ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
ସେହିଭଳି ଶୀତ ଲହରି ସମୟରେ ପ୍ରତ୍ୟେକ ଜିଲ୍ଲାରେ କେତୋଟି କୋଠା ଖୋଲା ଯାଇଛି ଓ ଏହି ସବୁ ସ୍ଥାନରେ ଆଶ୍ରୟୀ ସଂଖ୍ୟା କେତେ ରହିଥିଲା ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ପ୍ରତିଦିନ ଦାଖଲ କରାଯିବ। ହାଡ଼ଭଙ୍ଗା ଶୀତ ସମୟରେ ଲୋକ କଣ କରିବା ଓ ନକରିବା ଆବଶ୍ୟକ ସନେଇ ଲୋକଙ୍କୁ ଅବଗତ କରିବା ସହ ତ୍ବରିତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।
ଖାଲି ସେତିକି ନୁହେଁ ପ୍ରବଳ ଶୀତକୁ ଆଖି ଆଗରେ ରଖି ଏହି ସମୟରେ ରାତିରେ ଲୋକଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପାରଦ ଆହୁରି ଖସିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ରାଜ୍ୟର ଏହି ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଅନୁମାନ କରାଯାଇଛି। ଏଥିପାଇଁ 11ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଞ୍ଚଳ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ସାମିଲ ରହିଛି। ଏହି ସବୁ ଜିଲ୍ଲାରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି 11 ଜିଲ୍ଲାରେ ରବଳ ଶୀତ ଲହରି ଆଶଙ୍କା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ