ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି ବନ୍ୟପ୍ରାଣୀ ତସ୍କରଙ୍କ ଦୌରାତ୍ମ୍ୟ । ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର । ବିଗତ ଦୁଇ ବର୍ଷରେ ଏସଟିଏଫ୍ ୨୫ଟି ବାଘ ଛାଲ ଜବତ କରିଛି । ସେହିପରି ୧୩ଟି ହାତୀ ଦାନ୍ତ ସହ ୭ଟି ହରିଣ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୧୬ କେଜିରୁ ଊର୍ଦ୍ଧ୍ବ ବଜ୍ରକାପ୍ତା ଛାଲି ଜବତ କରାଯାଇଛି । ଏହି ଘଟଣାରେ ୫୫ଜଣ ବନ୍ୟପ୍ରାଣୀ ତସ୍କରଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ତେବେ କେବଳ ଘଟଣାରେ ମିଡିଲମ୍ୟାନ ଧରାପଡୁଥିବାବେଳେ ଶିକାରୀ ଏବଂ ବେପାରୀମାନେ ଖସି ଯାଉଛନ୍ତି । ଯାହା ଅତ୍ୟନ୍ତ ଚିନ୍ତାଜନକ ।
ରାଜ୍ୟ ତଥା ଦେଶ ବାହାରେ ବନ୍ୟପ୍ରାଣୀ ଅଙ୍ଗର ଡିମାଣ୍ଡ ରହୁଛି । ବାଘ ଛାଲ ପିଛା ଦୁଇରୁ ଅଢେଇ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ହାତୀଦାନ୍ତ ଦାମ୍ ଲକ୍ଷେରୁ ଦେଢ ଲକ୍ଷ ରହୁଛି । ହରିଣ, ବଜ୍ରକାପ୍ତା ଭଳି ପ୍ରାଣୀଙ୍କ ଶିକାର ମଧ୍ୟ ବଢି ଚାଲିଛି । ଜନ୍ତୁ ଶିକାର ପରେ ଦଲାଲ୍ ଜରିଆରେ ଡିଲ୍ କରାଯାଇ ବିକ୍ରୟ ହେଉଛି । କାଁ ଭାଁ କେତେବେଳେ ବନ ବିଭାଗ ଓ ଏସଟିଏଫ ହାତରେ ମିଡିଲମ୍ୟାନ ଏବଂ ଶିକାରୀ ଧରା ପଡୁଥିବାବେଳେ ବେପାରୀ ଏବଂ ମାଷ୍ଟରମାଇଣ୍ଡଙ୍କ ଟେର୍ ପାଉନି ବିଭାଗ । ବିଶେଷକରି ରାଜ୍ୟର ଦେବଗଡ, ବଲାଙ୍ଗୀର, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା ଭଳି ଜିଲ୍ଲାରେ ଅବାଧରେ ଶିକାର ଚାଲିଛି । ଯେଉଁ କାରଣରୁ ଦିନକୁ ଦିନ ଶିକାର ବଢିବା ସହ ନିରୀହ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି ।
ଏବେ ଅଫଲାଇନ ବଦଳରେ ଅନଲାଇନରେ ବନ୍ୟପ୍ରାଣୀ ତସ୍କରୀ ଚାଲିଥିବା ଘଟଣା ମଧ୍ୟ ଦେଖାଯାଇଛି । ତେବେ ଏହି ମାମଲାରେ ଦୋଷୀଙ୍କ ଉପରେ କୋହଳ ଦଣ୍ଡବିଧାନ ଯୋଗୁଁ ସେମାନଙ୍କ ସାହାସ ବଢୁଥିବା କୁହାଯାଇଛି । ଏଭଳି ସ୍ଥିତିରେ ସାମୂହିକ ଭାବେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରେ ଏ ଦିଗରେ ମିଳିତ କାମ କରିବାର ଆବଶ୍ୟକତା ରହିଛି । ନହେଲେ ଆଗାମୀ ଦିନରେ ଓଡିଶା ଜଙ୍ଗଲରୁ ହାତୀ, ବାଘ, ହରିଣ ଲୋପ ପାଇଯିବେ ବୋଲି ଆଶଙ୍କା କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ