ଖୋର୍ଦ୍ଧା: 2024 ପୂର୍ବରୁ ସଜବାଜ ହେଲେଣି ରାଜନୈତିକ ଦଳ । 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳଗୁ଼ଡିକ ସେମନଙ୍କ ସମରସଜ୍ଜା ପ୍ରସ୍ତୁତ କରିଲେଣି । ଦୁଇ ଶାସକ ଦଳ ବିଜେଡି ଏବଂ ବିରୋଧୀ ଦଳ ବିଜେପି ନିଜର ସାଙ୍ଗଠନିକ ସ୍ଥିତି ମଜବୁତ କରୁଥିବା ବେଳେ ଏଥିରେ ବାଦ ପଡିନାହିଁ କଂଗ୍ରେସ । ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ "ଭାରତ ଯୋଡ଼ ଯାତ୍ରା" ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଅଛି ।
ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ “ଭାରତ ଯୋଡ଼ ଯାତ୍ରା” ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହେବ । ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କଠାରୁ ଏହି “ଭାରତ ଯୋଡ଼ ଯାତ୍ରା” ଆରମ୍ଭ ହେବ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଏହି ଯାତ୍ରାକୁ ରାଜ୍ୟର ୩୩ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲାରେ ସଫଳତାର ସହ ଅନୁଷ୍ଠିତ କରାଇବା ପାଇଁ ପିସିସି ସଭାପତି ଏକ କମିଟି “ program implementation committee" ଗଠନ କରିଛନ୍ତି ।
ଓଡ଼ିଶାରେ ଭାରତ ଯୋଡ଼ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ସମ୍ପ୍ରତି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଚାଲିଛି । ଦେଶରେ ଦେଖା ଦେଇଥିବା ଆକଶ ଛୁଆଁ ଦରଦାମ ଓ ବେକାରୀ ବୃଦ୍ଧିକୁ ମୁଦ୍ଦା କରି ଏହି ଯାତ୍ରା ଚାଲିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଓଡିଶା ବାସୀଙ୍କ ପାଖରେ ପହଞ୍ଚାଇବ କଂଗ୍ରେସ । ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି, ମହଙ୍ଗା ମାଡ, ବେରୋଜଗାରୀ, ନିଯୁକ୍ତି କ୍ଷେତ୍ରରେ ଅବହେଳା, ଘରୋଇକରଣ ଏବଂ ଅନ୍ୟାନ୍ୟ ମୁଦ୍ଦାକୁ ନେଇ ଲୋକେ ଅତିଷ୍ଠ ହୋଇପଡିଲେଣି । ତେଣୁ କଂଗ୍ରେସ ଭାରତ ଯୋଡ ଯାତ୍ରା ମାଧ୍ୟମରେ ସାଧାରଣ ଲୋକଙ୍କ ବିଶ୍ବାସଭାଜନ ହେବ ବୋଲି ଆଶା ରଖିଛି ।
ଜିଲ୍ଲାରେ କାର୍ଯ୍ୟକ୍ରମ ସଫଳ ହେବା ନିମନ୍ତେ ଏହି କମିଟି ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ଶରତ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି କମିଟିରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଧ୍ୟକ୍ଷ ରହିଛନ୍ତି । ସେହିପରି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସହ ଅଧ୍ୟକ୍ଷ ଭାବରେ ଓ ସଂଜୟ ତ୍ରିପାଠୀ ଆବାହକ ଭାବରେ ରହିଛନ୍ତି । ଅନ୍ୟତମ ସଭ୍ୟ ଭାବରେ କଂଗ୍ରେସ ନେତୃବୃନ୍ଦ ସୁଦର୍ଶନ ଦାସ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ସଂଜୀବ ଗିରି, ବିଶ୍ୱଜିତ ଦାଶ, ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ଦୁର୍ଗା ପ୍ରସାଦ ପାଢ଼ୀ ପ୍ରମୁଖ ରହିଛନ୍ତି ବୋଲି କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଖୋର୍ଦ୍ଧା