ଭୁବନେଶ୍ବର: ଦେଶରେ ଏବେ ଧୀରେ ଧୀରେ ମଙ୍କିପକ୍ସ(Monkeypox) ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେରଳ, ଦିଲ୍ଲୀ ପରେ ତେଲେଙ୍ଗାନାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଏ ନେଇ ଆଗୁଆ ସତର୍କତା ଅବଲମ୍ବନ କରିଛି ଓଡ଼ିଶା । ବାହାର ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, "ମଙ୍କିପକ୍ସ ଭାରତରେ ୪ଟି କେସ୍ ଚିହ୍ନଟ ହୋଇଛି । ସେଥିରୁ ୩ଟି କେସ୍ କେରଳରୁ ସାମ୍ନାକୁ ଆସିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଓ ବିଶେଷଜ୍ଞ ମାନଙ୍କୁ ମଙ୍କିପକ୍ସ ବାବଦରେ ସଚେତନ ଓ ଗାଇଡଲାଇନ ବିଷୟରେ ଆଲୋଚନା କରିବା ସହ ଅବଗତ କରାଯାଇଛି । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଛି । ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ ପରୀକ୍ଷା କିଭଳି କରାଯିବ ଏନେଇ RMRC ସହିତ ସ୍ବାସ୍ଥ୍ୟ ବିଭାଗ ଆଲୋଚନା କରିଛି।"
ସେ ଆହୁରି କହିଛନ୍ତି ଯେ, "ଆରଏମଆରସି ସାମ୍ପୁଲ ଟେଷ୍ଟ କରିବାର ଦାୟିତ୍ବ ନେଇଛି। । ବର୍ତ୍ତମାନ ଭାରତରେ ୧୫ଟି ଲାବରୋଟରୀ ରହିଛି । ମଙ୍କିପକ୍ସକୁ ନେଇ ସର୍ଭିଲାନ୍ସ ବଢ଼ାଯିବ । ଏନେଇ ସମସ୍ତ ମେଡିକାଲ କଲେଜକୁ ୨ଟି ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆକ୍ରାନ୍ତଙ୍କ ଠାରେ ସ୍ମଲପକ୍ସ ଭଳି ଲକ୍ଷଣ ଦେଖାଯାଉଛି । ବିଶେଷ ଭାବରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ହେବାର ଅଧିକ ସମ୍ଭାବନା ରହିଛି ।" ଯଦି ଏଭଳି ଲକ୍ଷଣ ଆସୁଛି ତେବେ ଟେଷ୍ଟ କରନ୍ତୁ ବା ରିପୋର୍ଟ କରନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର