ଭୁବନେଶ୍ବର: ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ(2)ର ନୂତନ ମହାଲେଖାକାର(Accountant General) ଭାବେ କାର୍ଯ୍ୟଭାର ଗ୍ରହଣ କଲେ ବିଶ୍ୱନାଥ ସିଂହ ଜାଡୋନ । ପୂର୍ବରୁ ସେ ତାମିଲନାଡୁ ଓ ପୁଡୁଚେରୀ ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରିଛନ୍ତି । ଓଡିଶା ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ପରଫର୍ମାନ୍ସ ଓ କମ୍ପ୍ଲାଏନ୍ସ ରିପୋର୍ଟ ପ୍ରସ୍ତୁତି ହୋଇ ଥିବାବେଳେ ପବ୍ଲିକ ଆକାଉଣ୍ଟସ କମିଟରେ ଆଲୋଚିତ ହେବାକୁ ଥିବା ସମସ୍ତ ବିଷୟ ବିଶ୍ୱନାଥ ନିର୍ଦ୍ଦେଶାନୁସାରେ କରାଯିବ ।
ଏହାଛଡା ସରକାରୀ ଉଦ୍ୟୋଗ ଓ ନିଗମ ଅଡିଟ ବିଭାଗ ବିଶ୍ୱନାଥଙ୍କ ଅଧୀନରେ ରହିବ । ବିଶ୍ୱନାଥ ତାପଜ ଯାନ୍ତ୍ରିକ ବିଭାଗରେ ଏମ.ଟେକ କରିଛନ୍ତି । 2003ରେ ସେ ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାରେ ଯୋଗ ଦେଇଥିଲେ । ଆମେରିକାର ISACA ଅନୁଷ୍ଠାନ ଦ୍ୱାରା ସୂଚନା ପ୍ରଣାଳୀ ବିଜ୍ଞାନର ଜଣେ ସ୍ୱୀକୃତିପ୍ରାପ୍ତ ଲେଖା ପରୀକ୍ଷକ ଭାବେ କୃତ୍ତିତ୍ୱ ଅର୍ଜନ କରିଛନ୍ତି । ଏହା ପରେ ସେ ଲଣ୍ଡନ ପ୍ରଧାନ ନିର୍ଦ୍ଦେଶକ କାର୍ଯ୍ୟାଳୟର ନିର୍ଦ୍ଦେଶକ ହୋଇଥିଲେ ।
ଗତ ଫୋନି ମହାବାତ୍ୟାରେ ବିଶ୍ୱନାଥଙ୍କ ନେତୃତ୍ୱରେ ଏ.ଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଭୁବନେଶ୍ୱର ଓ ପୁରୀରେ ଏ.ଜି ଆମ୍ବୁଲାନ୍ସ ଓ ଏ.ଜି କଲୋନୀ ସିଟିଜେନ କମିଟି ସଭ୍ୟଙ୍କ ସକ୍ରିୟ ସହଯୋଗରେ ସେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ କରିଛନ୍ତି । ଏହାସହ ବହୁ ଧନ ଜୀବନ ବଞ୍ଚାଇ ଥିବାରୁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ଦ୍ୱାରା ସେ ସମ୍ମାନିତ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର